ବିବାହ ଭୋଜି ରୋଷେୟା କରୋନା ଆକ୍ରାନ୍ତ; ୮୭ଜଣ ସଙ୍ଗରୋଧରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟପ୍ରଦେଶରେ ଅନ୍ଲକ୍-୧ ଚାଲିଥିବା ବେଳେ ରାଜ୍ୟରେ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମଧ୍ୟପ୍ରଦେଶର ଛତରପୁରର ବନ୍ଧା ଗ୍ରାମ ପଞ୍ଚାୟତରେ ଏକ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଏହି ବିବାହରେ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ ଆସିଥିବା ରୋଷେଇଆ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନାଯୋଗ୍ୟ, ଛତରପୁରର ବନ୍ଧା ଗ୍ରାମ ପଞ୍ଚାୟତକୁ ବିବାହ ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଆସିଥିବା ଜଣେ ଯୁବକ କରୋନା ପିଜିଟିଭ୍ ଥିବା କଥା କେହି ଜାଣି ନଥିଲେ। ତାଙ୍କର କୋଭିଡ-୧୯ ରିପୋର୍ଟ ଆସିବା ପରେ ହିଁ ରୋଷେଇଆ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଘଟଣା ସ୍ଥାନୀୟଲୋକ ସମେତ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟି ଯାଇଥିଲା।
ଏହି ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପଞ୍ଚାୟତ ସିଇଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୋଷେଇ କରୁଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଥିଲେ ଏବଂ ଉକ୍ତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବର-ବଧୂଙ୍କ ସମ୍ପର୍କୀୟଙ୍କ ସହ ୮୬ଜଣଙ୍କ ଥର୍ମାଲ୍ ସ୍କ୍ରିନିଂ କରିଥିଲେ। ସ୍କ୍ରିନିଂ ପରେ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେବା ସହ ନିକଟସ୍ଥ ସରକାରୀ ସ୍କୁଲରେ ସେମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଯେଉଁ ଅଞ୍ଚଳରେ ବିବାହ ହୋଇଥିଲା ତାହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରି ଦିଆଯାଇଛି।