ପର୍ଯ୍ୟଟକଙ୍କ ମନ ମୋହିବ ‘ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ‘

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଣାର୍କ, ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଥିବା ‘ମେରାଇନ ଡ୍ରାଇଭ ଇକୋ – ରିଟ୍ରିଟ’ ପର୍ଯ୍ୟଟକଙ୍କ ମନ ମୋହିବାର ଏକ ପ୍ରଶଂସନୀୟ ପ୍ରୟାସ । ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ପ୍ରୟାସ ହୋଇଛି । ଏହି ପ୍ରୟାସକୁ ସବୁ ମହଲରୁ ଖୁବ ପ୍ରଶଂସା ମଧ୍ୟ ମିଳୁଛି । ୪୯ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ବେଲୁନ ଉଡ଼ାଇ ଉତ୍ସବର ଶୁଭାରମ୍ଭ କରିବା ପରେ ବେଳାଭୂମି ପରିଭ୍ରମଣ କରିଥିଲେ ।
ସୂଚନା ଅନୁଯାୟୀ, ଏହି ଉତ୍ସବ ପାଇଁ ରାମଚଣ୍ଡୀ ବେଳାଭୂମିକୁ ଖୁବ ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଛି । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଏହାର ମୁଖ୍ୟ ଆକର୍ଷଣ ହୋଇଛି । ‘ମେରାଇନ ଡ୍ରାଇଭ ଇକୋ – ରିଟ୍ରିଟ’ କୁ ତିନି ଭାଗରେ ବିଭକ୍ତ କରାଯାଇଛି ପ୍ରଥମରେ ରହିଛି ଇନ୍ ଆଉଟ ଅଞ୍ଚଳ । ଯେଉଁଠି କେବଳ ଟେଣ୍ଟ ବୁକିଂ କରି ପର୍ଯ୍ୟଟକ ରହିବେ । ଦ୍ୱିତୀୟଟି ପବ୍ଲିକ୍ ଏରିଆ ବା ବିଚ୍ ମାର୍କେଟ୍ । ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ମେଳା ସାଙ୍ଗକୁ ବିଭିନ୍ନ ତାରକା ହୋଟେଲ୍ ଓ ରେସ୍ତୋରାଁ ଖାଦ୍ୟ ମିଳୁଛି । ସାଧାରଣ ଲୋକଙ୍କ ପାଇଁ ଏହାକୁ ଉନ୍ମୁକ୍ତ ରଖାଯାଇଛି । ତୃତୀୟଟି ସାଂସ୍କୃତିକ ମଂଚ ଅଞ୍ଚଳ । ସେଠି ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେଠାରେ ପ୍ରବେଶ ପାଇଁ ଲୋକଙ୍କୁ ଫି ଦେବାକୁ ପଡ଼ିବ ।
ରାମଚଣ୍ଡୀ ବେଳାଭୂମିରେ ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଅସ୍ଥାୟୀ ଟେଣ୍ଟ ବା କଟେଜ୍ ନିର୍ମାଣ କରାଯାଇଛି । ସେଠାରେ ଠିକ୍ ପଞ୍ଚ ତାରକା ହୋଟେଲର ଅନୁଭବ ବାରି ହେଉଛି । ବିଭିନ୍ନ ବର୍ଗର ପର୍ଯ୍ୟଟକମାନଙ୍କ ରହିବା ପାଇଁ ସେଗୁଡ଼ିକୁ ଶ୍ରେଣୀଭୁକ୍ତ କରାଯାଇଛି । ଜଣଙ୍କ ପିଛା ରାତିକ ପାଇଁ ମୂଲ୍ୟ ରଖାଯାଇଛି ୭ ହଜାରରୁ ୨୨ ହଜାର ଟଙ୍କା । ଏହି ପଇସାରେ ପର୍ଯ୍ୟଟକ ଭୁବନେଶ୍ୱରଠାରୁ ବାହାରିବାଠାରୁ ଆରମ୍ଭ କରି ରହିବା, ଖାଇବା ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲସ୍ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ । ଏଥିପାଇଁ ଆଜି ଉଦଘାଟନ ଦିନରେ ହିଁ ୨୨ଟି ଟେଣ୍ଟ ବୁକିଂ ହୋଇଯାଇଛି ।
ପ୍ରତିଦିନ ସଂଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରାଜ୍ୟର ଲୋକନୃତ୍ୟ ସାଙ୍ଗକୁ ପପ୍, ସେଲିବ୍ରିଟି ଡିଜେ ଏବଂ ବଲିଉଡ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ । ଇକୋ-ରିଟ୍ରିଟ୍ ର ପ୍ରବେଶ ପଥ ଟିକେଟ୍ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକମାନେ ଏହି କାର୍ଯ୍ୟକ୍ରମ ଉପଭୋଗ କରିପାରିବେ । ଟିକେଟ୍ ର ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ରଖାଯାଇଛି ।
ବେଳାଭୂମିରେ ଜଳକ୍ରୀଡ଼ା ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଛି । ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଡ୍ ବୋଟିଂ, ପାରାସେଲିଂ, ଏଟିଭି, ଆର୍ଚେରି, ରାଇଫଲ୍ ସୁଟିଂ, ବିଚ୍ ଭଲିବଲ୍ ଏବଂ ବାଇସାଇକେଲ ଚାଳନା ଭଳି ରୋମାଞ୍ଚଭରା ଖେଳ ଉପଭୋଗ କରିବେ ଦର୍ଶକ ।
ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଏହି ଅଭିନବ ଆୟୋଜନ ପର୍ଯ୍ୟଟକମାନଙ୍କୁ ଖାଲି ଅଧିକ ଆକର୍ଷିତ କରିବ ନାହିଁ ବରଂ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ପାଇଁ ଅଧିକ ଟେକ ଆଣିବ ବୋଲି ବିବେଚନା କରାଯାଉଛି ।