କନ୍ଧମାଳରେ ନକ୍ସଲଙ୍କ ନୃଶଂସକାଣ୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା ନିର୍ମାଣକୁ ବିରୋଧ କରି ଜାଳିଦେଲେ ଜେସିବି ଓ ଟ୍ରାକ୍ଟର। ଏଭଳି କାଣ୍ଡ ଘଟାଇ କନ୍ଧମାଳ ଜିଲ୍ଲାରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଗାଡିକୁ ପୋଡିଦେଇଛନ୍ତି ମାଓବାଦୀ । ଏଥିସହ ଘଟଣାସ୍ଥଳରେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ସୋମବାର ମଧ୍ୟରାତ୍ରିରେ ମାଓବାଦୀ ମାନେ କିଆମୁଣ୍ଡା ପାଖରେ ପହଞ୍ଚି ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ଏବଂ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଗାଁ ରେ ଦେଶୀ ମଦ ଭାଟି ବନ୍ଦ କରିବା, CRPF କ୍ୟାମ୍ପ ଉଠାଇବା, ମାଓବାଦୀ ନାମରେ ଦାଦାବଟି ମାଗୁଥିବା ଲୋକଙ୍କୁ ଗିରଫ କରିବା ଆଦି ଦାବି ପୋଷ୍ଟର ରେ ଉଲ୍ଲେଖ ରହିଛି। ଏଥି ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ତଳେ ଉଲ୍ଲେଖ ରହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ମାଓବାଦୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେ ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ମାଶ୍ରୀପଡା ଠାରୁ କଣ୍ଟାମାଳ ପର୍ଯ୍ୟନ୍ତ ରାଜ୍ୟ ରଜପଥ ନିର୍ମାଣ ଚାଲିଛି । ଏକ ଠିକାଦାର ସଂସ୍ଥା ଏହି କାର୍ଯ୍ୟ ବହୁଦିନରୁ କରୁଥିବା ଜଣାପଡିଛି।