ବିଜେପିରୁ ଇସ୍ତଫା ଦେଲେ ମନୋରଞ୍ଜନ ସେଠୀ
ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।
ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା । ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପରନ୍ତୁ ସେଠାରେ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । ଦିନକୁ ଦିନ ବିଜେପି ତାଙ୍କୁ ଅଣଦେଖା କରିଚାଲିଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା । ପୂର୍ବ ନିଷ୍ପତ୍ତି ଏକ ଭୁଲ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ବିଜେପି ଛାଡିଛନ୍ତି ବୋଲି ତାଙ୍କର ସମର୍ଥକ କହିଛନ୍ତି । ଖୁବଶୀଘ୍ର ସମର୍ଥକଙ୍କ ସହିତ ସେ ବିଜେଡିକୁ ଫେରିବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି ।