ମନ କୀ ବାତରେ ଓଡ଼ିଶାର ଡି. ପ୍ରକାଶ ରାଓଙ୍କୁ ସ୍ମରଣ କଲେ ମୋଦି
କଟକର ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କିଏ ବା ତାଙ୍କୁ ନ ଚିହ୍ନେ । ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି । ଆଜି ୧୦୦ତମ ମନ କୀ ବାତ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ମରଣ କରିଛନ୍ତି ।
ସେ ଚା’ ବିକି କିପରି ଲୋକଙ୍କ ସେବା କରୁଥିଲେ, ସେନେଇ ଆଜି ମନ କି ବାତ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।
ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି । ଗତ ୨୦୨୧ ଜାନୁଆରୀ ମାସ ୧୩ ତାରିଖରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା ।
ସେପଟେ ସେଞ୍ଚୁରି ମାରିଛି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିଛି ।
‘ଅଲ୍ ଇଣ୍ଡିଆ ରେଡିଓ’ ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ୍ କି ବାତ୍ କେବଳ ଏକ ଅଧଘଣ୍ଟିଆ କାର୍ଯ୍ୟକ୍ରମ ନୁହେଁ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରାୟ ୨୬ କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଦବୁଦ୍ଧ କରିଛି ଅଗଣିତ ସାଧାରଣ ନାଗରିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ । କେବଳ ଏତିକି ନୁହେଁ, ଅନେକ ବଣମଲ୍ଲୀଙ୍କ ମହକ ସାରା ଦେଶକୁ ଆମୋଦିତ କରିଛି ମନ୍ କି ବାତ୍ ମାଧ୍ୟମରେ ।