କଂଗ୍ରେସ ଭବନରେ ପଶି ପିଟିଲା ପୁଲିସ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ୧୦ ଦିନ ହେଲାଣି ଗୃହ ସ୍ୱାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ବି ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଉଛି। ଛାତ୍ର କଂଗ୍ରେସର ଶତାଧୀକ କର୍ମୀ ବିଧାନସଭା ମୁହାଁ ହେଉଥିବାବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ତେଣୁ ଉଭୟ ପକ୍ଷରେ ମଧ୍ୟରେ ବେଶ୍ କିଛି ସମୟ ଧରି ଠେଲାପେଲା ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ୍ ଲାଠିଚାର୍ଜ କରିଥିଲା। ଗୋଡ଼ାଇ ଗୋଡ଼ାଇ ପୁଲିସ୍ ସେମାନଙ୍କୁ ପିଟିଥିଲା। ଏମିତିକି ମାଡ଼ ଭୟରେ କଂଗ୍ରେସ ଭବନ ଭିତରେ ପଶି ଯାଇଥିବା କର୍ମୀମାନଙ୍କୁ ବି ପୁଲିସ୍ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ୍ ମାଡ଼ରେ ଅନେକ କର୍ମୀଙ୍କୁ ଆଘାତ ଲାଗିଛି। କିଛି ଜଣଙ୍କ ମୁଣ୍ଡ ବି ଫାଟିଛି। ପୁଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ମମିତା ମେହରକୁ ନ୍ୟାୟ ଦେବାକୁ ଦାବିକରି ଗୃହ ରାଜ୍ୟ ମନ୍ତ୍ରୀଙ୍କ ବହିଷ୍କାର ନିମନ୍ତେ ଆଜି ଛାତ୍ର କଂଗ୍ରେସ ହଲ୍ଲାବୋଲ ଡାକରା ଦେଇଥିଲା। ଶତାଧିକ ସଂଖ୍ୟାରେ ଛାତ୍ର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିଧାନସଭା ମୁହାଁ ହୋଇଥିଲେ।

Leave a comment