ଆଜି ମକର, ସାରା ଓଡିଶା ଉତ୍ସବ ମୁଖର
ଓଡିଶା ଫାଷ୍ଟ ( ବ୍ୟୁରୋ) : ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ପ୍ରତି ଓଡିଆଙ୍କ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି । ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ। ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ। କିମ୍ବଦନ୍ତୀ ଅନୁଯାୟୀ ଆଜି ସୂର୍ଯ୍ୟଦେବ ପୁତ୍ର ଶନିଦେବଙ୍କୁ ଦେଖିବା ପାଇଁ ତାଙ୍କର ଘରକୁ ଯାଆନ୍ତି ।