ଆଜି ମହାଶିବରାତ୍ରି: ଜାଣନ୍ତୁ ବ୍ରତ ପାଳନର ମହତ୍ଵ

0

ହିନ୍ଦୁ ଶାସ୍ତ୍ର ଅନୁସାରେ ମହାଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି। ଶିବରାତ୍ରି ଦିନ ଭଗବାନ ଶିବଙ୍କ ବିଶେଷ ପୂଜା ହୋଇଥାଏ। ପାଞ୍ଜି ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଇଥାଏ। ଏହି ପର୍ବ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଭାବେ ପାଳନ କରାଯାଏ। ଚଳିତ ବର୍ଷ ୧୧ ତାରିଖ ଗୁରୁବାର ଦିନ ମହାଶିବରାତ୍ରି ପଡୁଛି। ମହାଶିବରାତ୍ରି ଶିବ ଓ ଶକ୍ତିଙ୍କ ମିଳନର ପର୍ବ। ଏହିଦିନ ବିଶେଷ ସାମଗ୍ରୀ ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ହୋଇଥାଏ। ପୂଜାରେ ପୁଷ୍ପ, ବେଲପତ୍ର, ଭାଙ୍ଗ, ଜବ, ମନ୍ଦାର, ଦୁଦୁରା ଫୁଲ, କଞ୍ଚା କ୍ଷୀର, ଆଖୁ ରସ, କେତକୀ ଫୁଲ, ମହୁ, ଦେଶୀ ଘିଅ, ଗଙ୍ଗା ଜଳ, କର୍ପୁର, ଧୂପ, ଦୀପ, ଚନ୍ଦନ, ଫଳ, ପଞ୍ଚାମୃତ, ଶିବ ଓ ମାତା ପାର୍ବତୀଙ୍କ ଶୃଙ୍ଗାର ସାମଗ୍ରୀ, ବସ୍ତ୍ରଭୂଷଣ, ରତ୍ନ, ମିଠା, ଦକ୍ଷିଣା ଆଦି ଅର୍ପଣ କରାଯାଇଥାଏ।

ମହାଶିବରାତ୍ରିକୁ ନେଇ ଅନେକ କଥା ପ୍ରଚଳିତ। ସବୁଠାରୁ ପ୍ରଚଳିତ କଥା ଅନୁସାରେ ଶିବ ଓ ମାତା ପାର୍ବତୀଙ୍କ ମିଳନର ରାତି ଭାବେ ପାଳନ କରାଯାଇଥାଏ। ଏହିଦିନ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଆଉ ଏକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭୋଳାନାଥ ୬୪ ଶିବଲିଙ୍ଗ ରୂପରେ ସଂସାରରେ ପ୍ରକଟ ହୋଇଥିଲେ। ଏଥିରୁ ଲୋକେ ୧୨ଟି ଶିବଲିଙ୍ଗ ହିଁ ଖୋଜି ପାଇଛନ୍ତି। ଏହି ୧୨ ଶିବଲିଙ୍ଗ ହେଲା ଦେଶର ୧୨ ଜ୍ୟୋତିର୍ଲିଙ୍ଗ।

ମହାଶିବରାତ୍ରି ଦିନ ଭକ୍ତ ବ୍ରତ ପାଳନ କରନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଚତୁର୍ଦଶୀ ରାତିରେ ଚାରିଥର ମହାଶିବରାତ୍ରି ପୂଜା କରାଯାଇଥାଏ। ଏହି ୪ ସମୟକୁ ଚାରି ପ୍ରହାର କୁହାଯାଏ। ଏହି ସମୟରେ ପୂଜା କଲେ ବ୍ୟକ୍ତି ପାପରୁ ମୁକ୍ତି ପାଇଥାଏ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଶିବ ପୂଜା ରାତି ସମୟରେ କରିବା ଅନିବାର୍ଯ୍ୟ ବୋଲି କୁହାଯାଏ। ଆର ଦିନ ଅର୍ଥାତ ଚତୁର୍ଦଶୀ ତିଥିରେ ସମାପ୍ତ ହେବା ପୂର୍ବରୁ ସୂର୍ଯ୍ୟୋଦୟ ପରେ ବ୍ରତ ସମାପନ କରାଯିବା ଉଚିତ।

Leave a comment