ମହାରଥି ଆଶ୍ୱସ୍ତ, ସର୍ତ୍ତମୂଳକ ଜାମିନ ମଞ୍ଜୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ନେତା ଏବଂ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କୁ ମିଳିଲା ଆସ୍ୱସ୍ତି । ମହାରଥିଙ୍କ ଜାମିନ ଆଜି ମଞ୍ଜୁର ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ (ଏଡିଜେ-୩) ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ଆଜି ସ୍ୱତନ୍ତ୍ର କୋର୍ଟରେ ପୁଲିସ ଇଞ୍ଜୋରି ରିପୋର୍ଟ ଦାଖଲ କରିବା ପରେ ଜାମିନ ଆବେଦନର ଶୁଣାଣୀ ଆରମ୍ଭ କରାଯାଇଥିଲା । ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଜାମିନ ପରେ ସେ ପୁଲିସକୁ ତଦନ୍ତରେ ସହଯୋଗ କରିବାସହ ସାକ୍ଷୀମାନଙ୍କୁ ପ୍ରବାଭିତ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥିଙ୍କ ହୁଙ୍କେଇପୁରସ୍ଥିତ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ପିପିଲି ପୋଲିିସ ଗିରଫ କରିଥିଲା । ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଝାରପଡା ଜେଲରେ ରାତିରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଏପରିକି ତାଙ୍କ ଅସୁସ୍ଥତା କାରଣରୁ ସେ ଭୋଟ ଦେବାରୁ ମଧ୍ୟ ବଞ୍ଚିତ ହୋଇଥିଲେ ।
ଗତ ୨୪ ତାରିଖରେ କୋର୍ଟ ଜାମିନ ଖାରଜ କରିବା ସହ ପୁଲିସକୁ କେସ ଡାଏରୀ ଓ ଇଞ୍ଜୋରି ରିପୋର୍ଟ ଦାଖଲ କରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।