ପୁଣିଥରେ ବାଜି ମାରିଲେ ସିନ୍ଦେ, ବିଧାନସଭା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିଲା ବହୁମତ

ପୁଣିଥରେ ବାଜି ମାରିଲେ ସିନ୍ଦେ । ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନରେ ବିଜେପି-ସିନ୍ଦେ ମେଣ୍ଟକୁ ମିଳିଛି ବହୁମତ । ଅର୍ଥାତ ବିଧାନସଭା ବାଚସ୍ପତି ନିର୍ବାଚନରେ ବହୁମତରେ ବିଜେପିର ରାହୁଲ ନାର୍ବେକର ବିଜୟୀ ହୋଇଛନ୍ତି । ବିଜୟ ପାଇଁ ମ୍ୟାଜିକ୍ ନମ୍ବର ୧୪୫ ଥିବାବେଳେ ନାର୍ବେକରଙ୍କୁ ମୋଟ ୧୬୪ଟି ଭୋଟ ମିଳିଛି ।
ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ରାଜନ ସାଲଭୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ତାଙ୍କୁ ମୋଟ ୧୦୭ ଭୋଟ ମିଳିଥିବା ବେଳେ ୪୭ଟି ଭୋଟରେ ପରାଜିତ ହୋଇଛନ୍ତି ରାଜନ ସାଲଭୀ ।
ଏହାପରେ ଆସନ୍ତାକାଲି ଅର୍ଥାତ ସୋମବାର ବିଧାନସଭା ମଧ୍ୟରେ ନୂଆ ସରକାରର ଶକ୍ତି ପ୍ରଦର୍ଶନ ମଧ୍ୟ ହେବାକୁ ଅଛି । ତେବେ ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବାପରେ ନୂଆ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ମଧ୍ୟ ଖୁବ ସହଜ ହୋଇଯାଇଛି ।
ଅନ୍ୟପଟେ ରବିବାର ସକାଳେ ସିନ୍ଦେ ଗୋଷ୍ଠୀର ବିଧାୟକ ମାନେ ମହାରାଷ୍ଟ୍ର ବିଧାନସଭା ଭିତରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିଲ୍ କରିଦେଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଉଦ୍ଧବ ଠାକରେଙ୍କ ନିକଟରେ ସଂଖ୍ୟା କମ ଥିବାରୁ ସେ ଏବେ ନାଚାର । ତେଣୁ ମହାରାଷ୍ଟ୍ର ରାଜନୀତିରେ ଏକପ୍ରକାର ବିଜେପି-ସିନ୍ଦେ ମେଣ୍ଟ ସରକାରର ଶାସନ ଆରମ୍ଭ ହୋଇଯାଇଛି କହିଲେ ଚଳେ ।