ଯୋଜନା ନାମକୁମାତ୍ର କାନ୍ଧରେ ବୁହାହେଲା ଶବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରୟାଣ ଯୋଜନାରେ ଅବହେଳା । ଶବକୁ କେତେବେଳେ କାନ୍ଧରେ ତ କେତେବେଳେ ମୋଟର ସାଇକେଲରେ ତ ଆଉ କେତେବେଳେ ଭାରା ସାହାଯ୍ୟରେ ବୋହିନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ମାଆର ମୃତ୍ୟୁ ଶରୀରକୁ ଧରି ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ମଧ୍ୟ ମହାପ୍ରୟାଣ ଗାଡି ନମିଳିବାରୁ ମାଆର ଶବକୁ ପୁଅ କାନ୍ଧରେ ବୋହିଲା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ଜରିପଡା ପଞ୍ଚାୟତ ପଇଗୁଆଁ ଗାଁର କ୍ଷୀରୋଦ ମଲ୍ଲିକଙ୍କ ମାଆ ରମା ମଲ୍ଲିକ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମାଆଙ୍କ ମୃତ୍ୟୁ ପରେ କ୍ଷୀରୋଦ ମହାପ୍ରୟାଣ ଗାଡିକୁ ଫୋନ କରିଥିଲେ ମାତ୍ର ରାତି ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଗାଡି ନଆସିବାରୁ କ୍ଷୀରୋଦ ତାଙ୍କ ମାଆର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୧ କିଲୋମିଟର ଚାଲିଚାଲି ଯିବା ପରେ ମହାପ୍ରୟାଣ ଗାଡି ଆସି ପହଞ୍ଚିଥିଲା।
ଦାନମାଝୀ ଘଟଣା ପରେ ସରକାର ଦେଶ ଓ ବିଦେଶରେ ବଦନାମ ହୋଇଥିଲେ। ଏହା ପରେ ତାତ୍ପରହୋଇ ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦି ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କରି ନିଜର ଡିମଡିମା ପିଟୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭର୍ଣ୍ଣ। ଯାହାର ବାସ୍ତବ ଚିତ୍ରରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିବାରୁ ସରକାରଙ୍କ ଏହି ସବୁ ଯୋଜନା କାର୍ଯ୍ୟରେ ନୁହେଁ କେବଳ ନାକୁ ମାତ୍ରବୋଲି ସାଧାରଣ ଜନତାଙ୍କ ଅସନ୍ତୋଷ ଦିନକୁ ଦିନ ବଢିବାରେଲାଗିଛି।