ମହନ୍ତ ବଜରଙ୍ଗ ମୁନିଙ୍କ ହୀନ ମନ୍ତବ୍ୟ କୁ ଏଆଇଏମ୍ଏସ୍ଏସ୍ ର ତୀବ୍ର ବିରୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ସୀତାପୁରର ହିନ୍ଦୁ ମହନ୍ତ ବଜରଙ୍ଗ ମୁନି ମହିଳାମାନଙ୍କ ସମ୍ପର୍କରେ ହୀନ ମନ୍ତବ୍ୟ ଦେବା ଘଟଣାକୁ ଏଆଇଏମ୍ଏସ୍ଏସ୍ ର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି, ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକା ସ୍ବୟଂ ପ୍ରଭା ନାୟକ ତୀବ୍ର ନିନ୍ଦା ଓ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ମହନ୍ତଙ୍କ ମହିଳା ବିରୋଧୀ ମନ୍ତବ୍ୟ ଅତ୍ୟନ୍ତ ହୀନ, ଅପରାଧମୂଳକ ସାମ୍ପ୍ରଦାୟିକ, ଉତ୍ତେଜନା ପ୍ରବଣକାରୀ। ଏହି ମନ୍ତବ୍ୟ ଦ୍ୱାରା ସେ ଧର୍ଷଣ ପରି ଅତ୍ୟନ୍ତ ଅମାନବୀୟ, ଘୃଣିତ ଅପରାଧକୁ କେବଳ ଗୁରୁତ୍ୱହୀନ କରୁନାହାନ୍ତି, ସମାଜର ଜନସାଧାରଣ ବିଶେଷ ଭାବେ ଯୁବସମାଜକୁ ସମାଜ ବିରୋଧୀ, କୁତ୍ସିତ, ହୀନ କାର୍ଯ୍ୟ କରିବାକୁ ଉସକାଉଛନ୍ତି। ଧାର୍ମିକ ମୁଖ୍ୟ ଭାବରେ ତାଙ୍କ ମନ୍ତବ୍ୟର କୁଫଳ ସମ୍ପର୍କରେ ଭଲଭାବରେ ଅବଗତ ଥାଇ ମଧ୍ୟ ସେ ଏହା କହିଛନ୍ତି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ଓ ଶାନ୍ତି ଭଙ୍ଗ କରିବା ପାଇଁ ଏହା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ।
ଘଟଣାର ଏକ ସପ୍ତାହ ପରେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ନ କରିବା ଘଟଣାକୁ ଏଆଇଏମ୍ଏସ୍ଏସ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସେ ଫେରାର ଥିବା କଥା ଯାହା କୁହାଯାଇଛି ଏହା ପଛରେ ପୋଲିସ ଓ ପ୍ରଶାସନ ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ। ଉତ୍ତର ପ୍ରଦେଶ ସରକାର ମହନ୍ତ ବଜରଙ୍ଗ ମୁନିଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାପାଇଁ ଏଆଇଏମ୍ଏସ୍ଏସ୍ ଦୃଢ଼ ଦାବି କରିଛି।
ଉତ୍ତର ପ୍ରଦେଶରେ ମହିଳାମାନେ ସମ୍ପୂର୍ଣ୍ଣ ନିରାପତ୍ତା ବିହୀନ ଜୀବନ ବିତାଉଛନ୍ତି । ବାରମ୍ବାର ମହିଳା ମାନେ ଧର୍ଷଣ, ହତ୍ୟା ପରି ଘଟଣାର ଶୀକାର ହେବା ଅତ୍ୟନ୍ତ ଉଦବେଗଜନକ ବିଷୟ। ‘ବେଟି ବଚାଓ’ ସ୍ଲୋଗାନ କେବଳ ଏକ ଛଳନା ମାତ୍ର। ସମାଜର ସାମାଜିକ, ସାଂସ୍କୃତିକ, ପରିବେଶ କୁ ନଷ୍ଟ କରିବା ପାଇଁ ଯୋଜନା ଚଳାଇଥିବା ହୀନ ଚକ୍ରାନ୍ତକାରୀଙ୍କ ବିରୋଧରେ ଓ ଦେଶର ନାରୀ ସମାଜ ର ସମ୍ମାନ ଓ ନିରାପତ୍ତା ର ସୁରକ୍ଷା ଦାବିରେ ଦେଶର ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ମନୋଭାବାପନ୍ନ ଜନଗଣ ଓ ବିଶେଷ ଭାବେ ମହିଳା ଓ ଯୁବ ସମାଜ ଆଗେଇ ଆସିବାକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆହ୍ବାନ କରାଯାଇଛି।
ଅପରପକ୍ଷରେ ବିବାଦକୁ ଟାଣି ହେବା ପରେ ମହନ୍ତ ବଜରଙ୍ଗ ମୁନି ଏକ ଭିଡ଼ିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, “ଯଦି ମୋର କୌଣସି କଥା ମୋର ମା ଏବଂ ଭଉଣୀ ମାନଙ୍କ ମନରେ ଆଘାତ କରିଛି ତେବେ ମତେ କ୍ଷମା କରନ୍ତୁ” ।