ମହାନଦୀ ବିବାଦ ସମାଧାନ ଆଶା କ୍ଷୀଣ, ଅକଳରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ଛତିଶଗଡ ସାଧାରଣ ନିର୍ବାଚନରେ ରମଣ ସିଂଙ୍କ ସରକାରର ପତନ ଘଟି କଂଗ୍ରେସ କ୍ଷମତାକୁ ଫେରିଲା । ଏହା ଫଳରେ ମହାନଦୀ ଲଢେଇରେ ସାମିଲ ହୋଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ପତିଆରା ନେବାକୁ ପ୍ରୟାସ କରିଥିଲେ । ଛତିଶଗଡର ନୁଆ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଆଲୋଚନା ହୋଇଛି ଏହାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବାଟ ଫିଟିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିବା ପରେ ଆରମ୍ଭ ହୋଇଥିଲା ନୂଆ ଚର୍ଚ୍ଚା । ମାତ୍ର ରବିବାର ଛତିଶଗଡର ନୂଆ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ମହାନଦୀ ଆମର ବୋଲି କହି ପୁଣି ଦ୍ୱନ୍ଦ୍ୱ ବଢାଇ ଦେଇଛନ୍ତି । ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ ଅଧିକାର ରହିଛି । ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାରୁ ସରକାର ତାଙ୍କ ପକ୍ଷ ରଖିବେ ବୋଲି କହିଛନ୍ତି ଚୌବେ ।

ଛତିଶଗଡ଼ରେ ଭାଜପା ଶାସିତ ରମଣ ସିଂଙ୍କ ସରକାର ଥିବାବେଳେ ମହାନଦୀ ବିବାଦର ସମାଧାନ ନେଇ ଅନିଶ୍ଚିତତା ଲାଗି ରହିଥିଲା । କେନ୍ଦ୍ରରେ ଭାଜପା ଶାସନ କ୍ଷମତାରେ ଥିବାରୁ ଛତିଶଗଡ଼ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ଓଡ଼ିଶା ଦାବିକୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ ହେଉଥିଲା । କିନ୍ତୁ ଛତିଶଗଡରେ ଏବେ କଂଗ୍ରେସ ସରକାର ଥିବାରୁ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ରାଜ୍ୟ କଂଗ୍ରେସ ଦଳ ନେତୃବୃନ୍ଦ ଏବେ ଅକଳରେ ପଡିଯାଇଛନ୍ତି ।

Leave a comment