ଜନ୍ମଦେବା ପରେ ନବଜାତକକୁ ହସ୍ପିଟାଲରେ ଛାଡି ମାଆ ଫେରାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବଜାତକକୁ ଛାଡି ମାଆ ଛୁ । ୧୦ ମାସ ୧୦ ଦିନ ଗର୍ଭରେ ରଖିଥିବା ମାଆ ଶିଶୁ କନ୍ୟାକୁ ଜନ୍ମ ଦେଲାପରେ ତାକୁ ଛାଡି ଫେରାର ହୋଇଯାଉଛି | ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଜଣେ ପ୍ରସୂତି ନବଜାତକ ଶିଶୁ କନ୍ୟାକୁ ବେଡରେ ଛାଡି ପଳେଇଯିବା ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚହଳ ପକାଇ ଦେଇଛି । ଶୁକ୍ରବାର ରାତ୍ରରେ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଖଲ୍ଲିକୋଟ ମେଡ଼ିକାଲକୁ ଆସିଥିଲେ । ତାଙ୍କ ସାଙ୍ଗରେ ଦୁଇ ଜଣ ମହିଳା ମଧ୍ୟ ଥିଲେ । ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଉଭୟ ମାଆ ଓ ଶିଶୁ କନ୍ୟାକୁ ବେଡ୍କୁ ଅଣାଯାଇଥିଲା । କିଛି ସମୟ ପରେ ନର୍ସ ଏକ ଇଂଜେକସନ ଦେବାକୁ ଆସି ଦେଖିବା ବେଳକୁ ମାଆ ସେଠାରୁ ଗାଏବ ହୋଇଯାଇଥିଲା ।
ବହୁ ଖୋଜାଖୋଜି ପରେ ମାଆର ସନ୍ଧାନ ନ ମିଳିବାରୁ ଛୁଆଟିର ଯତ୍ନ ନର୍ସମାନେ ନେଇଥିଲେ । ସମ୍ପୃକ୍ତ ମହିଳା ଦେଇଥିବା ଠିକଣା ମଧ୍ୟ ଭୁଲ ଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ସିଡିପିଓ ଅଂଶୁପା ସାହୁ ମେଡ଼ିକାଲରେ ପହଞ୍ଚି ଶିଶୁକୁ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କ ସହ ବ୍ରହ୍ମପୁର ଚାଇଲଡ଼ ଲାଇନକୁ ପଠାଇଥିଲେ। ଅନ୍ୟ ପକ୍ଷରେ ଏବେ ମେଡିକାଲ ଲାଗିଥିବା ସିସି ଟିଭି ଯାଞ୍ଚ କରି କିଏ ସେହି ମହିଳା ଚି଼ହ୍ନଟ ପାଇଁ ଚେଷ୍ଟା କରାଯାଉଛି |