ଦବୋତ୍ତର ଜମି ଜବରଦଖଲ, ମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ୨ଏକରରୁ ଅଧିକ ଜମିକୁ ବେଆଇନ ଭାବେ କିଛି ବ୍ୟକ୍ତି ମାଡିବସିଥିବା ସାଙ୍ଘାତିକ ଅଭିଯୋଗ ଆସିଛି । କୋଟି କୋଟି ଟଙ୍କା ମୂଲ୍ୟର ଏହି ଜମି ହଡପ ଘଟଣାରେ ବାରମ୍ବାର ଦବୋତ୍ତର ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ସୁଫଳ ମିଳିନି । ଫଳରେ ଲିଙ୍ଗରାଜଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ଏକାମ୍ର ଜନଜାଗରଣ ମଞ୍ଚ ଏନେଇ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପତ୍ର ଦେଇ ସିବିଆଇ ତଦନ୍ତ ଦାବି କରିଛି ।

ଅଭିଯୋଗ ଅନୁଯାୟୀ ଗତ ମେ ମାସରେ ବେଆଇନ ଭାବେ ଭୀମପୁର ମୌାରେ ଥିବା ଲିଙ୍ଗରାଜଙ୍କ ୨.୩୫୬ ଏକର ଜମିକୁ ତତ୍କାଳୀୟ ଦେବୋତ୍ତର ଆୟୁକ୍ତଙ୍କ ଆଦେଶରେ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏନେଇ ଦେବୋତ୍ତର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏବେ ପୁଣି ଥରେ ୧୯୨୦ ମସିହାରୁ ଶ୍ରୀ ଲିଙ୍ଗରାଜଙ୍କ ସ୍ବତ୍ତ୍ବରେ ସଂରକ୍ଷିତ ଥିବା ଏକ ସମ୍ପତ୍ତି ମଧ୍ୟ ଜବରଦଖଲ ହୋଇଛି । ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ହୋଇଥିବା ଅଭିଯୋଗ ଅନୁୟାୟୀ ଜାଲ ଦସ୍ତଖତରେ ଭୀମପୁର ମୌଜାର ଖାତା ନମ୍ବର ୫୪୪/୫୮୯, ପ୍ଲଟ ନମ୍ବର ୬୭ ର ୧ଏକର ୧୬୦ ଡିସିମଲ ଜମିକୁ ଚଞ୍ଚକତା କରି ବ୍ୟକ୍ତିଗତ ପଞ୍ଜିକୃତ କରାଯାଇଛି । ସେଠାରେ ଏଭିତରେ ବେଆଇନ ନିର୍ମାଣ କରାଯାଇ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କୁ ଭଡାରେ ଦିଆଯାଇଛି ।

ଏନେଇ ଅଭିଯୋଗ ପରେ ଦେବୋତ୍ତର ବିଭାଗର ନୀରିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ତଥ୍ୟ ଆଧାରରେ ୨୦୧୮ ଜୁନ ୨ ତାରିଖରେ ସବୁ ଜବରଦଖଲକୁ ବେଆଇନ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାନଯାଇ ନାଲିଫିତା ତଳେ ଚାପି ଦିଆଯାଇଥିବା ମଂଚ ଅଭିଯୋଗ କରିଛି । ଏହି ଜାଲିଆତିରେ ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀଙ୍କ ଭାଇଙ୍କ ସମ୍ପୃକ୍ତି ଥିବା ମଞ୍ଚ ଅଭିଯୋଗ କରିଛି । ମଞ୍ଚ କିନ୍ତୁ ସିଧାସଳଖ ମନ୍ତ୍ରୀଙ୍କୁ ଏହି ଜାଲିଆତି ପାଇଁ ଇଙ୍ଗିତ କରିନାହିଁ ।

ତେଣୁ ସ୍ବାଭାବିକ ଭାବେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ଜାଲିଆତିକୁ କିଏ ସୁରକ୍ଷା ଦେଉଥିଲେ, ଏବଂ କିଏ କାର୍ଯ୍ୟାନୁଷ୍ଠାନ ନହେବାକୁ ଚାପ ପ୍ରୟୋଗ କରୁଥିଲେ । ଜଣେ ଦାୟିତ୍ବ ସମ୍ପନ୍ନ ମନ୍ତ୍ରୀ ଭାବେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ଏହି ଜାଲିଆତି ସମ୍ପର୍କରେ ଜାଣିଥିଲେ ନା ନାହିଁ ? ଏବେ ଜାଣିବା ପରେ ଜଣେ ସେବାୟତ ଭାବେ ଶ୍ରୀ ଲିଙ୍ଗରାଜଙ୍କ ସମ୍ପତ୍ତିର ଉଦ୍ଧାର ପାଇଁ ପଦକ୍ଷେପ ନେବେ କି? ଦେବୋତ୍ତର ଜମିକୁ ଅନ୍ୟ ହାତକୁ ଟେକିଦେବା ପାଇଁ ଅଧିକୃତ ହୋଇଥିବା ଅଧିକାରୀମାନେ କିଭଳି ବେଆଇନ ନିର୍ମାଣ ପାଇଁ ଅନୁମତି ପ୍ରଦାନ କଲେ? ଦେବୋତ୍ତର କମିଶନ ଜବରଦଖଲକୁ ବେଆଇନ ଘୋଷଣା ପରେ ବି ପ୍ରଶାସନିକ ଅଧିକାରୀମାନେ ହାତ ବାନ୍ଧି ବସିରହିବା ପାଇଁ କେଉଁ ଅଦୃଶ୍ୟ ଶକ୍ତି କାମ କରୁଥିଲା?

Leave a comment

You cannot copy content of this page