ଅପରାହ୍ନରେ ଆଡ଼ପ ମଣ୍ଡପରେ ବିଜେ କରିବେ ତିନି ଠାକୁର, କାଲି ଯାଏ ଦର୍ଶନ ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତିନି ରଥ । ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା । ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ । ଅପରାହ୍ନରେ ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆଡ଼ପ ମଣ୍ଡପରେ ବିଜେ ପରେ ଶନିବାର ସକାଳ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ତେବେ ସକାଳ ସାଢେ଼ ୭ଟାରୁ ଏକ ଘଣ୍ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୪ଟା ବେଳେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ନୀତି ଯୋଗୁ ସବୁ କାର୍ଯ୍ୟ ଶୀଘ୍ର ଶେଷ ହେବା ସହିତ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡା଼ରେ ପହଞ୍ଚିଥିଲା ।