ଭାଇ ଭଉଣୀ କୁ ସାଙ୍ଗରେ ନେଇ ବଡ଼ଦେଉଳ କୁ ବାହୁଡ଼ିଲେ ଜଗତର ନାଥ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦି ରୁ ଲୀଳାଖେଳା ସାରି ଆଜି ରତ୍ନବେଦିକୁ କୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ମଧ୍ୟ ଏହାର ବହୁତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା । ଅପରାହ୍ଣ ପ୍ରାୟ ୧ଟା ୩୦ ସମୟରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ପ୍ରଥମେ ଟଣାଯାଇଥିଲା ଓ ଅପରାହ୍ଣ ପ୍ରାୟ ୨ଟା ୧୦ସମୟରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଟଣାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଳ୍ପ ଅଳ୍ପ ବର୍ଷା ହେଉଥିଲେ ମଧ୍ୟ, ଭକ୍ତ ଶ୍ରଦ୍ଧାଳୁ କିନ୍ତୁ ଆଦୌ ଖାତିର ନକରି ଉତ୍ସାହର ସହିତ ଶ୍ରୀଜିଉମାନଙ୍କ ରଥ ଭିଡ଼ି ନେଉଛନ୍ତି । ଭାଇ-ଭଉଣୀଙ୍କୁ ପଠାଇ ସାରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଅପରାହ୍ଣ ପ୍ରାୟ ୨ଟା ୨୦ ମିନିଟ ସମୟରେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି ।
ଭକ୍ତ-ଶ୍ରଦ୍ଧାଳୁଙ୍କ ଜୟ ଜୟ କାର ସହ ଘଣ୍ଟ ଘଣ୍ଟା,ଝାଞ୍ଜମୃଦଙ୍ଗ ଆଦି ବାଦ୍ୟଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ରଥର ଘୁଁ ଘୁଁ ଘର୍ଘର ନାଦ ସହ ଡ଼ାହୁକମାନଙ୍କର କୌତିକିଆ ଡ଼ାକ ଭିତରେ ସୃଷ୍ଟି ହୋଇଛି ଭାବମୟ ପରିବେଶ। ଶାନ୍ତି ଶୃଙ୍ଖଳା ସହ ରଥଟଣା କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ ତାଳଧ୍ୱଜ ଏବଂ ଦର୍ପଦଳନ ରଥ ସିଂହଦ୍ଵାର ସମ୍ମୁଖରେ ପହଞ୍ଚି ସାରିଛି ।

Leave a comment