ଶିଳ୍ପ ସଚିବଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାପଲ୍ଲୀ ଥାନା ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ଆଇଏଏସ୍‌ ଅଫିସର ତଥା ଶିଳ୍ପ ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ପ୍ରଣବଜ୍ୟୋତିଙ୍କ ସପରିବାର ଟୁରରେ ଯାଇଥିବାବେଳେ ତାଙ୍କ ଘରୁ ନଗଦ ୫ଲକ୍ଷ ଟଙ୍କା ଓ ୭ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଛି । ଏ ନେଇ ପ୍ରଣବଙ୍କ ଜଣେ କର୍ମଚାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ ସୁରକ୍ଷା କର୍ମୀ ଏବଂ କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଏପରି କି ୨ ସୁରକ୍ଷା କର୍ମୀଙ୍କୁ ପଚରାଉଚରା ପରେ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ପୋଲିସ ସେମାବାର ସେମାନଙ୍କର ଲାଇ-ଡିଟେକ୍ସନ ଟେଷ୍ଟ କରିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରଣବଜ୍ୟୋତି ଏବେ ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ଏକ କାର୍‌ କିଣିବା ଲାଗି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଆଣି ଘରେ ରଖିଥିଲେ । ଗତ ୧୯ ତାରିଖରେ ସେ ପରିବାର ଲୋକଙ୍କୁ ନେଇ ଟୁର୍‌ରେ ବାହାରକୁ ଚାଲିଯାଇଥିଲେ । ୨ ସୁରକ୍ଷା କର୍ମୀ ଏବଂ ଅନ୍ୟ କେତେଜଣ କର୍ମଚାରୀ ଘର ଜଗିବା ଦାୟିତ୍ୱରେ ଥିଲେ । ଗତ ୨୧ ତାରିଖରେ ପ୍ରଣବଜ୍ୟୋତି ଫେରିବା ପରେ ଲୁଟ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଘରର ଝରକା ତଡ଼ାଯାଇ ନାହିଁ କି କବାଟ ତାଲା ଭଙ୍ଗାଯାଇ ନଥିବାରୁ ସନ୍ଦେହ କର୍ମଚାରୀଙ୍କ ଉପରେ କରାଯାଉଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ୍‌ ମିଳିନାହିଁ । ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି ।

Leave a comment