ରାଜଧାନୀରେ ବିଦେଶିନୀଙ୍କ ଠାରୁ ଲୁଟ୍‌, ଜଣେ ଅଟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନରଓ୍ବେରୁ ଇଣ୍ଟର୍ନଶିପ୍‌ ପାଇଁ ଭୁବନେଶ୍ୱର ଆସିଥିବା ସ୍କେଲିନା ହଷ୍ଟନ ନାମକ ଜଣେ ବିଦେଶିନୀଙ୍କଠାରୁ ଲୁଟ୍‌ପାଟ ହୋଇଛି । ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଲାପ୍‌ଟପ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍‌ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ସ୍କେଲିନା ଇଣ୍ଟର୍ନଶିପ୍‌ ପାଇଁ ୭ ଦିନ ହେବ ନରଓ୍ବେରୁ ଭୁବନେଶ୍ୱର ଆସିଥିଲେ। ସେ ଖଣ୍ଡଗିରିରେ ଥିବା ଏକ ଘରୋଇ କଲେଜରେ ଇଣ୍ଟର୍ନଶିପ୍‌ କରିବା ସହ ଜଟଣୀ ଅଞ୍ଚଳରେ ଏକ ହଷ୍ଟେଲରେ ରହୁଥିଲେ । ଶନିବାର ସେ ଲାପ୍‌ଟପ୍‌ ସାଙ୍ଗରେ ଆଣି ଖଣ୍ଡଗିରି ମାର୍କେଟକୁୁ ଆସିଥିଲେ । ମାର୍କେଟ ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ହେଲେ ଅଧାବାଟରେ ଅଟୋରୁ ତାଙ୍କର ଲାପ୍‌ଟପ୍‌ ବ୍ୟାଗ୍‌ ଓ ଅନ୍ୟ ସାମଗ୍ରୀ ଲୁଟ ହୋଇଯାଇଥିଲା । ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି । ଅଟୋ ଡ୍ରାଇଭରଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଛି । ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି, ଏହା କୌଣସି ପ୍ରକାର ଲୁଟ ନୁହେଁ । ସେ ଅଟୋରେ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କ ଲାପଟପ ଓ ବ୍ୟାଗ୍‌ ନ ଥିବା ଦେଖିଥିଲେ । ତାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି।

Leave a comment