ତାଲା ପକାଇ ଘରେ ନିଆଁ ଲଗାଇଦେଲା ଦୁର୍ବୁତ୍ତ; ଅଳ୍ପକେ ବର୍ତ୍ତିଲେ ଛଅ

0

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ। ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତା ଲାଗି ରହିଥିବାରୁ, ଆକ୍ରୋଶ ମୂଳକ ଭାବେ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜ ୬ଜଣ ପରିବାର ସହ ଘର ଭିତରେ ଶୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ଘର ଗୁଡିକ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ।
ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ ଆଉ ବାହାରି ନପାରି ପଛପଟ ଝରକାକୁ ଭାଙ୍ଗି ସମସ୍ତ ପରିବାର ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି। ପୂର୍ବଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a comment