ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ ଲକ ଡାଉନ, ଜୁନ ୧୭ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ ଲକ ଡାଉନ । ଏବଂ ଜୁନ ୧୭ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ଏନେଇ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ବିମାନ ସେବା ଓ ଟ୍ରେନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେବା ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେମାନସଙ୍କ ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକଙ୍କ ଯତ୍ନ ନେବାକୁ ଅନୁରୋଧ କରିଛନ୍ତି ।
ଅପରପକ୍ଷରେ ରାଜ୍ୟର ଏପରି ଘଡିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବାସହ କୃଷି କାର୍ଯ୍ୟ ଓ ଯେପରି ମାଲ ପରିବହନ ଲକ ଡାଉନ ପାଇଁ ପ୍ରଭାବିତ ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ସେହିପରି ଏଭଳି ଏକ ମହାମାରୀ ସମୟରେ ରୋଗୀ ସେବା ପାଇଁ ଆଗେଇ ଆସିଥିବା ସମସ୍ତ ଡାକ୍ତର ମାନଙ୍କ ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।