ଶପଥ ନେବାର ମାତ୍ର ୬ ସପ୍ତାହରେ ଇସ୍ତଫା ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ
ଶପଥ ନେବାର ମାତ୍ର ୬ ସପ୍ତାହରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ। ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।
ଟ୍ରସ୍ ଇସ୍ତଫା ଦେଇଥିବାରୁ ତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ କରି ହାରିଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ଶାସନ ଭାରି ସମ୍ଭାଳିବା ସମ୍ଭାବନା ସୃଷ୍ଟି ହୋଇଛି। ଟ୍ରସ୍ କହିଛନ୍ତି, “ଯେଉଁ କାରଣ ପାଇଁ ମୋତେ ଶାସନ କରିବାକୁ କ୍ଷମତା ମିଳିଥିଲା, ମୁଁ ସେ କାମ କରିବାରେ ଅକ୍ଷମ ହୋଇଛି। ଏକଥା ମୁଁ ରାଜାଙ୍କ ସହ ମଧ୍ୟ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛି। ଏବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଯାଏ ମୁଁ ଏହି ପଦରେ ରହିବି।” ଟ୍ରସ ଦେଶର ଅର୍ଥନୀତିକୁ ସୁଧାରିବା ପ୍ରତିଶ୍ରୁତି ଦେଇ କଞ୍ଜରଭେଟିଭ ପ୍ରାର୍ଥୀର ସମର୍ଥନ ହାସଲ କରିଥିଲେ ଓ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ।