ଲିଙ୍ଗରାଜ ମନ୍ଦିର ଆଇନ କ୍ୟାବିନେଟର ମଞ୍ଜୁରୀ,ସ୍ୱାଗତରେ ୧୦ହଜାର ଦୀପ ଜାଳିଲେ ସେବାୟତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି। ଏଣିକି ଶ୍ରୀମନ୍ଦିର ଢାଞ୍ଚାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ। ରାଜ୍ୟ କ୍ୟାବିନେଟ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟଦେଶକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରି ସେବାୟତ ମାନେ ୧୦ ହଜାର ଦୀପ ଜାଳିଛନ୍ତି।
ସୂଚନାଯୋଗ୍ୟ, ସୋମବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ, ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ‘ସ୍ୱତନ୍ତ୍ର ଅଧ୍ୟାଦେଶ’ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ ଏକ କମିଟି ହାତରେ ନ୍ୟସ୍ତ କରାଯାଇଛି। ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ। ମନ୍ଦିରର ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ଆଦିର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହା କରାଯାଇଛି।
ଶ୍ରୀ ପୂଜାରୀ କହିଥିଲେ, ସ୍ୱତନ୍ତ୍ର ଆଇନ ଯୋଗୁଁ ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଏବଂ ସଠିକ୍ ପରିଚାଳନା ହୋଇ ପାରିବ। ଅଧ୍ୟାଦେଶରେ ଶ୍ରୀଲିଙ୍ଗରାଜ ମନ୍ଦିର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା ହୋଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଭିତ୍ତିଭୂମି ବକାଶ ଯୋଗୁଁ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ସମ୍ଭବ ହେବ।

Leave a comment