ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ

0

ଓଡିଶା ଫାଷ୍ଟ( ବ୍ୟୁରୋ):ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀଜୀଉଙ୍କ ମହା ଶିବରାତ୍ରି ପାଇଁ ସେବାୟତଙ୍କ ଦ୍ବାରା ପୂର୍ବ ପ୍ରସ୍ତୁତ ନୀତିନିର୍ଘଣ୍ଟକୁ ଟ୍ରଷ୍ଟବୋର୍ଡ ଅନୁମୋଦନ ପ୍ରଦାନ କରିଛି। ଭେରା ୩ଟାରୁ ସାଢ଼େ ୩ଟା ମଧ୍ୟରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିବ। ଏହାପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି କରାଯାଇ ୨୨ ତାରିଖ ଭୋର ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ହୋଇ ପହୁଡ଼ ପଡ଼ିବ। ସିଂହଦ୍ବାର ସାମ୍ନାରେ ଖାଲୁଆ ହୋଇଥିବା ସ୍ଥାନ କିଭଳି ଜାଗର ଯାତ୍ରା ପୂର୍ବରୁ ସମତୁଲ ହୋଇପାରିବ, ଶ୍ରଦ୍ଧାଳୁଙ୍କ ବସିବା ଲାଗି ଚାନ୍ଦୁଆ ନିର୍ମାଣ ଓ ସେମାନଙ୍କ ପାଇଁ ୪ରୁ ୫ଟି ହେଲ୍‌ପ ଡେସ୍କ ନିର୍ମାଣ ଲାଗି ବୈଠକରେ ସ୍ଥିର ହୋଇଥିଲା। ଏହାବ୍ୟତୀତ ମନ୍ଦିର ପରିସରରେ ଲାଗିଥିବା ୩୨ଟି ସିସି କ୍ୟାମେରାକୁ ପୁନଃ ସଂଯୋଗୀକରଣ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଟ୍ରଷ୍ଟବୋର୍ଡର ସଭାପତିଙ୍କ ସମେତ ଅତିରିକ୍ତ ଜିଲାପାଳ, କମିସନରେଟ ପୁଲିସର ଜୋନ୍‌-୨ ଏସିପି ବିଷ୍ଣୁପ୍ରସାଦ ପାତ୍ର, ବିଏମ୍‌ସି ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ)ଅବନୀକାନ୍ତ ପଟ୍ଟନାୟକ, ସରକାରୀ ଓକିଲ ରୁଦ୍ରପ୍ରସାଦ ନନ୍ଦ, ପୂଜାପଣ୍ଡା ନିଯୋଗର ଉପ ସଭାପତି ପ୍ରସନ୍ନ ପୂଜାପଣ୍ଡା, ବ୍ରାହ୍ମଣନିଯୋଗର ସେବାୟତ ହେମନ୍ତ କୁମାର ପଣ୍ଡା, ବଡୁ ନିଯୋଗର ସଭାପତି ଅଞ୍ଚଳ ବଟୁ, ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

You cannot copy content of this page