ଆସନ୍ତୁ ଜାଣିବା କିଏ କେଉଁଠି କାହାକୁ ହରାଇ ବାଜି ମାରିଲା

0

ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ି ଗଲାଣି। ନଜର ପକାନ୍ତୁ କିଏ କାହାକୁ କେଉଁ ଆସନରେ ହରାଇଲେ । ତେବେ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ବିଧାନସଭା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡ ଅନୁସାରେ ବିଜେପି ୮୦ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର ୪୭ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି ।

ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି ଆସନରେ ଆନୁଷ୍ଠାନିକ ଭାବେ କାହାରିକୁ ବିଜୟୀ ଘୋଷଣା କରିନଥିଲେ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗଣତି ଶେଷ ହୋଇଛି । ତେବେ ଅଣଆନୁଷ୍ଠାନିକ ସୂଚନା ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକ ପରାଜିତ ହୋଇଛନ୍ତି । ସେହିପରି ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ହାଇପ୍ରୋଫାଇଲ ନେତା ଦିଲ୍ଲୀପ ରାୟ ଓ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ପରାସ୍ତ ହେବାକୁ ପଡ଼ିଛି । ମାହାଙ୍ଗା ଓ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ପରାସ୍ତ କରିଛନ୍ତି । ନୂଆପଡ଼ା ବିଧାନସଭା ଆସନରୁ ଶ୍ରୀ ପଟ୍ଟନାୟକ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ ଓ ସେଠାରେ ଭୋଟ ଗଣତି ଶେଷ ହୋଇଛି । ସେହିପରି ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି । ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି ।

ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି ।ସେହିପରି ବଡ଼ଚଣାରେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍ କାଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେଠାରେ ଲଦି ଦେବା ବିଜେଡିକୁ ମହଙ୍ଗା ପଡ଼ିଛି । ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ ହୋଇଛନ୍ତି । ସେହିପରି ରାଉରକେଲାରୁ ବିଧାୟକ ଶାରଦା ନାୟକ ପୁଣିଥରେ ବିଜୟୀ ହୋଇଛନ୍ତି।

ସେ ବିଜେପିର ଦିଲ୍ଲୀପ ରାୟଙ୍କୁ ପରାସ୍ତ କରିଛନ୍ତି । ମାହାଙ୍ଗା ଆସନରୁ ବିଜେଡିର ଅଙ୍କିତ ପ୍ରତାପ ଜେନା ପରାସ୍ତ ହୋଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ପରାସ୍ତ କରିଛନ୍ତି । ସେହିପରି ବିଜେଡିର ଗଡ଼ ଧର୍ମଶାଳାରୁ ବିଧାୟକ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି ।

ସେଠାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେଡିର ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି । ବହୁଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହୋଇଛନ୍ତି ଓ ସେ ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି । ଚିଲିକା ଆସନରୁ ବିଜେଡିର ରଘୁନାଥ ସାହୁଙ୍କୁ ହରାଇ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ଜିତିଛନ୍ତି । ସେହିପରି କଟକ ସଦର ଆସନରୁ ପୂର୍ବତନ ମନ୍ତ୍ରୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ହରାଇ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି।

କୋରାପୁଟରୁ ବିଜେଡି ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହରାଇ ବିଜେପିର ରଘୁରାମ ମାଛ ନିର୍ବାଚନ ଜିତିଛନ୍ତି । ଧାମନଗର ଆସନରୁ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସଞ୍ଜୟ କୁମାର ଦାସଙ୍କୁ ପରାଜିତ କରିଛନ୍ତି। ସେହିପରି କଂଟାମାଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମହୀଧର ରଣାଙ୍କୁ ପରାଜିତ କରିଛନ୍ତି।

ଫୁଲବାଣୀ ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ବିଜେଡିର ଜୟଶ୍ରୀ କହଁରଙ୍କୁ ପରାସ୍ତ କରିଛନ୍ତି। ସେହିପରି ଘଷିପୁରାରୁ ବିଧାୟକ ବଦ୍ରିନାରାୟଣ ପାତ୍ର ପୁଣିଥରେ ବିଜୟୀ ହୋଇଛନ୍ତି । ସେଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।

Leave a comment