ଡ୍ରେନ କଡ଼ରୁ ମିଳିଲା କଟା ଗୋଡ଼, ଶରୀର ଗାୟବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ ନିକଟସ୍ଥ ଏକ ଡ୍ରେନରୁ ଖଣ୍ଡଗିରି ଥାନା ପୋଲିସ ଏକ କଟା ଗୋଡ ଉଦ୍ଧାର କରିଛି । ପୋଲିସ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ମଧ୍ୟ ଶରୀର କୌଣସି ପତ୍ତା ମିଳିପାରିନାହିଁ । ଯାହାକି ପୋଲିସର ଚିନ୍ତା ବଢ଼ାଇ ଦେଇଛି । ଏହି ଗୋଡାଟି ପଚି ଯାଇଥିବାରୁ ଏହା ୬ ରୁ ୭ ଦିନ ତଳର ହୋଇଥିବା ଅନୁମାନ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବରମୁଣ୍ଡା ଓଭରବ୍ରିଜ ତଳୁ ଓୟୁଏଟି ଫାର୍ମହାଉସ ଗେଟ ଆଡକୁ ଯାଇଥିବା ଡ୍ରେନ କଡରେ ଏକ କଟା ଗୋଡ ପଡିଥିବା ଜଣେ ଯୁବକ ଦେଖିବାକୁ ପାଇଥିଲା । ଏ ସମ୍ୱନ୍ଧରେ ସେ ଆଖପାଖ ଅଞ୍ଚଳର ଲୋକଙ୍କୁ ଜଣାଇବା ପରେ ସେ ସ୍ଥାନରେ ଲୋକଙ୍କ ଭିଡ଼ ଜମି ଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ ଶରୀରର ଅନ୍ୟ କୌଣସି ଅଂଶ ପୋଲିସକୁ ମିଳିନଥିଲା ।
ତେବେ କଟା ଗୋଡଟି କାହାର ? ସେ ସ୍ଥାନକୁ ଏହା କିପରି ଆସିଲା ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପୋଲିସ ଚିନ୍ତାରେ ରହିଛନ୍ତି । ଖଣ୍ଡଗିରି ଥାନା ପୋଲିସ ଆଖପାଖ ଅଞ୍ଚଳରେ କିଏ ନିଖୋଜ ଥିବା ଅଭିଯୋଗ ଆସିଛି ନା ନାହିଁ ଏହାକୁ ନେଇ ତଦନ୍ତ ଜାରିରଖିଛି ପୋଲିସ ।