ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର
ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା। ଏ ନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର । ତେବେ ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିବା କାରଣରୁ ତାଙ୍କ ସ୍ଥାନ ନେଇଛନ୍ତି ଜୟ ନାରାୟଣ ।
ବିରୋଧୀ ଦଳ ନେତା ଘୋଷଣା ପରେ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳ ମୋ ଉପରେ ଭରସା ରଖି ଯେଉଁ ଗୁରୁଦାୟିତ୍ଵ ଦେଇଛି ତାକୁ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ସେ କହିଛନ୍ତି।
୨୦୧୯ ବିଧାନସଭା ନିର୍ବାଚନ ପରେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି।
ଜୟ ନାରାୟଣ ମିଶ୍ର ପ୍ରଥମ ଥର ପାଇଁ ଦ୍ବାଦଶ ବିଧାନସଭାକୁ ୨୦୦୦ ମସିହାରେ ପଶ୍ଚିମ ଓଡିଶାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ସମ୍ବଲପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ତ୍ରୟୋଦଶ ବିଧାନସଭାକୁ ୨୦୦୪ ରେ ସମାନ ଆସନରୁ ନିର୍ବାଚିତ ହୋଇଥିଲେ । ପରେ ତୃତୀୟ ଥର ପାଇଁ ୨୦୦୯ ରେ ନିର୍ବାଚିତ ହୋଇଥିବା ବେଳେ, ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀନି ଡାକ୍ତର ରାଶେଶ୍ବରୀ ପାଣିଗ୍ରାହୀଙ୍କ ଠାରୁ ପରାଜିତ ହୋଇଥିଲେ ଜୟ ନାରାୟଣ । ପୁଣି ଥରେ ୨୦୧୯ ମସିହା ନିର୍ବାଚନରେ ରାଶେଶ୍ବରୀଙ୍କୁ ପରାସ୍ତ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇଥିଲେ । ପଶ୍ଚିମ ଓଡିଶାର ଜଣେ ଲୋକପ୍ରିୟ ଚର୍ଚ୍ଚିତ ରାଜନେତା ହେଉଛନ୍ତି ଜୟ ନାରାୟଣ ମିଶ୍ର ।