ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଣୀବିହାର ଯୁନିଭର୍ସିଟି ହାଇସ୍କୁଲ

0

ଭୁବନେଶ୍ୱର : ବାଣୀବିହାର ଯୁନିଭର୍ସିଟି ହାଇସ୍କୁଲ୍ ପରିସରରେ “ଆକାଂକ୍ଷା, ଦି ଫୋରମ’ ବହୁମୁଖୀ ସୌଧ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହି ଆକାଂକ୍ଷା ଫୋରମ ବର୍ତ୍ତମାନ ଓ ଭବିଷ୍ୟତର ଛାତ୍ରଛାତ୍ରୀଙ୍କ ଉଭୟ ଗୁଣାତ୍ମକ ଶିକ୍ଷା ତଥା ବୌଦ୍ଧିକ ବିକାଶ ଓ ଶାରୀରିକ ବ୍ୟାୟାମ ସହ କୌଶଳ ବିକାଶ ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି କହିଥିଲେ । ଏହି ଫୋରମ ସହ ଭିତ୍ତିଭୂମିକ ବିକାଶ ନିମନ୍ତେ ମୋ ସ୍କୁଲ କାର୍ଯ୍ୟକ୍ରମ ଦ୍ୱାରା ରୂପାନ୍ତରିତ ସ୍କୁଲଗୁଡ଼ିକ ମଧ୍ୟରେ ବାଣୀବିହାର ୟୁନିଭର୍ସିଟ ହାଇସ୍କୁଲ ଏକ ମଡେଲ ସ୍କୁଲ ରୂପେ ପରିଗଣିତ ହେବା ସହ ଆଗାମୀ ପିଢ଼ିକୁ ଦିଗଦର୍ଶନ ଦେବ ବୋଲି ସେ କହିଥିଲେ ।

ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ କହିଥିଲେ ଯେ, ଏପରି ଅଦମ୍ୟ ଉତ୍ସାହ ଓ ଉଚ୍ଚତର ଲକ୍ଷ୍ୟ ବଳରେ ଏହି ହାଇସ୍କୁଲଟି ବିଶ୍ୱର ସର୍ବଶ୍ରେଷ୍ଠ ହାଇସ୍କୁଲର ପରିଚିତ ହାସଲ କରିପାରିବ । ଉକ୍ତ ହାଇସ୍କୁଲର ମେଣ୍ଟର ତଥା ଓଡିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ ସ୍କୁଲର ପୁରାତନ ଛାତ୍ର ହିସାବରେ ଉକ୍ତ ହାଇସ୍କୁଲକୁ ନିଜର ଦ୍ୱିତୀୟ ଜନ୍ମଦାତ୍ରୀ ରୂପେ ଅଭିହିତ କରି ” ଆକାଂକ୍ଷା’ ଫୋରମ ଆଗାମୀ ଦିନରେ ବିଦ୍ୟାର୍ଥୀମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ସହ ଦକ୍ଷ ପ୍ରଶାସକ ଓ ଉଚ୍ଚକୋଟୀର ବ୍ୟକ୍ତିତ୍ୱ ଗଠନ ଦିଗରେ ସହାୟକ ହେବ ବୋଲି କହିଥିଲେ ।

Leave a comment