ଓକିଲ ନଆସିବାରୁ ନିଜ ପାଇଁ ନିଜେ ଲଢ଼ିଲେ ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍ସ କୋର୍ଟରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବାକୁ ଥିଲା । ମାତ୍ର ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ କୌଣସି ଓକିଲ କୋର୍ଟକୁ ଆସିନଥିଲେ । ତେଣୁ ବିଧାୟକ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଓ ତାଙ୍କ ପତ୍ନୀ ପ୍ରବୀଣା ରାଜହଂସ ମଧ୍ୟ ନିଜ ପକ୍ଷ ରଖିଥିଲେ । ଉଭୟ ପକ୍ଷର ଶୁଣାଣି ଶେଷ ହୋଇଛି । କୋର୍ଟ ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ବିଧାୟକଙ୍କ ଅସୁସ୍ଥତା କୁ ନେଇ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷ ନେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜେଇଙ୍କୁ ଉଠ୍‌ବସ୍ କରିବା ଘଟଣାରେ ବିଧାୟକଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା । ଗତ ରାତିରେ ତାଙ୍କୁ ପାଟଣାଗଡ଼ ଜେଲରୁ କଡ଼ା ସୁରକ୍ଷାରେ ଭୁବନେଶ୍ୱର ଅଣାଯାଇଥିଲା । ବଲାଙ୍ଗିର ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ ଗତ ଜୁନ୍ ୪ ତାରିଖରେ କାନ ଧରି ଉଠବସ୍ କରାଇଥିଲେ । ଏହାକୁ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ରାଜ୍ୟର ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ସବୁ ମାମଲାର ଶୁଣାଣି ପାଇଁ ଭୁବନେଶ୍ୱରରେ ଜଣେ ସ୍ପେଶାଲ ଜଜଙ୍କୁ ନିଯୁକ୍ତ କରାଯାଇଛି । ତେଣୁ ପାଟଣାଗଡ଼ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ମଧ୍ୟ ଭୁବନେଶ୍ୱରରେ ହେବ।

Leave a comment