ଆଜି ଶେଷ ପର୍ଯ୍ୟାୟ ଭୋଟ, ୭ ରାଜ୍ୟର ୫୯ ଆସନରେ ଚାଲିଛି ମତଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ୧୦କୋଟିରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କର ମତଦାନ କରୁଛନ୍ତି । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ପଞ୍ଜାବ ଆଦି ୭ରାଜ୍ୟରେ ଭୋଟ ଗ୍ରହଣ ଚାଲିଛି ।

ସେହିଭଳି ଓଡ଼ିଶାର ୩୪ଟି ବୁଥ୍‌ରେ ସାନି ମତଦାନ ଚାଲିଛି । ବୁଥ୍ ରିଗିଂ ଓ ଇଭିଏମ୍‌ରେ ତ୍ରୁଟି ଅଭିଯୋଗ ଆସିବା ପରେ ଉକ୍ତ ବୁଥଗୁଡିକରେ ମତଦାନ ବନ୍ଦ କରି ଦିଆଯାଇଥିଲା । ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରୀ, ବିଞ୍ଝାରପୁର, ସୁକିନ୍ଦା ଓ ଧର୍ମଶାଳାର ବିଧାନସଭା ଆସନ ପାଇଁ ମୋଟ ୯ଟି ବୁଥରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।

ସେହିପରି ଆଠଗଡ଼ର ୪ଟି, ବଡ଼ମ୍ବାର ଗୋଟିଏ, ମାହାଙ୍ଗାର ୪ଟି ଓ ସାଲେପୁରର ଗୋଟିଏ ବୁଥରେ ମଧ୍ୟ ସାନି ମତଦାନ ହେଉଛି । ଅନୁରୂପ ଭାବେ ବାରିପଦାର ୪ଟି, ବାଙ୍ଗିରିପୋଷିର ଗୋଟିଏ, ପୁରୀର ୩ଟି, ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି, ଭୁବନେଶ୍ୱର, କେନ୍ଦୁଝର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି । 

Leave a comment