୨୮ରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ
କାର୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା ୨୮ ତାରିଖ ଅର୍ଥାତ କାର୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ରତ୍ନଭଣ୍ଡାର ବାହାର ପଟ କାନ୍ଥରେ ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଓ କଣ ସମସ୍ୟା ରହିଛି ତାହା ଜଣାପଡିବ ।
ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏ ନେଇ ସମସ୍ତ ସହ ଯୋଗ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ ।
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଲାଗି ହେବ ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଅନୁମତି ଦେଇଛି । ସ୍କାନିଂ ଲାଗି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହୋଇଛି ।
ଶ୍ରୀମନ୍ଦିର ସହ ପାର୍ଶ୍ୱ ଦେବାଦେବୀ ମନ୍ଦିରଗୁଡିକର ବି ଲେଜର ସ୍କାନିଂ ହେବ । ଆଉ ଏଏସଆଇର ରିପୋର୍ଟ ପରେ ମରାମତି ନେଇ ଆଲୋଚନା ହେବ । ତେବେ ରତ୍ନଭଣ୍ଡାରର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ ।
ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମାର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଥିପାଇଁ ଅନୁମତି ମିଳିଛି । ସାତ ଦିନ ଧରି ଏହି ଉତ୍ସବ ଚାଲିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତେଣୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପାଳନ ପାଇଁ ବି ପ୍ରସ୍ତାବ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ପ୍ରକଳ୍ପ କାର୍ଯ୍ୟାରମ୍ଭ କରିବା ପରେ ଭକ୍ତଙ୍କୁ ଅନେକ ସୁବିଧା ମିଳିବ ।