ରୋଚକ ମୋଡ଼ରେ କର୍ଣ୍ଣାଟକ ରାଜନୀତି, ରାଜ୍ୟପାଳଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲା କୁମାରସ୍ୱାମୀ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୋଚକ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକ ରାଜନୀତି । ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର କର୍ଣ୍ଣାଟକ ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇଯାଇଛନ୍ତି । ଆଜି ଅପରାହ୍ନ ସାଢେ଼ ୧ଟା ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ ।
ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କଂଗ୍ରେସ ଏମପି ସାଂସଦ ନାସିର ହୁସେନ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ।ଏଚଡି କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗୋଟିଏ ଦିନ ପାଇଁ ଆସ୍ଥା ଭୋଟକୁ ଟାଳିଦେଇଥିଲା । ଅନ୍ୟପକ୍ଷରେ ଏହା ବିରୋଧରେ ବିଜେପି ବିଧାୟକମାନେ ବିଧାନସଭା ଭିତରେ ଧାରଣାରେ ବସିଥିଲେ । ଶାସକ ଦଳର ବିଧାୟକମାନେ ହୋ ହଲ୍ଲା କରି ଗୃହକୁ ଏକ ପ୍ରକାର ଅଚଳ କରିଦେବା ଫଳରେ ଉପବାଚସ୍ପତି କ୍ରିଷ୍ଣା ରେଡ୍ଡି ଗୃହକୁ ବିନା ଟ୍ରଷ୍ଟ ଭୋଟରେ ମୁଲତବୀ ଘୋଷଣା କରିଥିଲେ । ଶୁକ୍ରବାର ସକାଳ ୧୧ଟା ଯାଏ ଗୃହ ମୁଲତବୀ ରଖାଯାଇଥିଲା ।