ଉଦଘାଟିତ ହେଲା କୃଷି ଭବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ଠାରେ ‘କୃଷି ଭବନ’ ର ଉଦଘାଟନ କରିଛନ୍ତି । ଏହି କୃଷି ଭବନ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ତିନୋଟି ବିଭାଗ କାର୍ଯ୍ୟ କରିବ । ୮୦ ବର୍ଗଫୁଟରେ ନିର୍ମିତ ହୋଇଥିବା ଏହି କୃଷି ଭବନରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ , ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ମୂର୍ତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଏବଂ ଜଳ ବିଭିଜିକା ଉନ୍ନୟନ ମିସନ କାର୍ଯ୍ୟାଳୟ କାର୍ଯ୍ୟ କରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କୃଷି ଭବନ’ ଉଦଘାଟନ ସମୟରେ କହିଛନ୍ତି, ଓଡିଶା କୃଷିକ୍ଷେତ୍ରରେ ବହୁତ ଆଗେଇଛି । ୨୦୦୦ ମସିହାରେ ଖାଦ୍ୟ ନିରାପତ୍ତା ପାଇଁ ପଞ୍ଜାବ ଓ ହରିୟାଣାରୁ ଟ୍ରେନ ଯୋଗେ ଖାଦ୍ୟଶସ୍ୟ ଓଡ଼ିଶାକୁ ଆସୁଥିଲା । ମାତ୍ର ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । ୨୦୧୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ୪ ଥର କୃଷି କର୍ମଣ ପୁରସ୍କାର ପାଇଛି । ଏହି ପୁରସ୍କାରରେ ମିଳିଥିବା ୧୭କୋଟି ଟଙ୍କା ଏହି ଭବନ ନିର୍ମାଣରେ ବ୍ୟବହୃତ ହୋଇଛି । ଏହି ଭବନ ଚାଷୀ ଭାଇ ଓ ଭଉଣୀଙ୍କ ସଶକ୍ତିକରଣ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଭବିଷ୍ୟତରେ କୃଷିକ୍ଷେତ୍ରରେ ଅଧିକ ଦକ୍ଷତାର ସହ ସେବା ଯୋଗାଇ ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ମୂଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ସଚିବ ସୌରଭ ଗର୍ଗ ଉପସ୍ଥିତଥିଲେ ।