କୋଡରମା ଥର୍ମାଲ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା: ଲିଫ୍ଟ ତାର ଛିଣ୍ଡି ଯିବାରୁ ୪ ଅଧିକାରୀଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଝାରଖଣ୍ଡ କୋଡରମା ଥର୍ମାଲ ପାୱାର ପ୍ଲାଣ୍ଟରେ ଲିଫ୍ଟ ତାର ଛିଣ୍ଡି ଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ ଜଣ ନିର୍ମାଣାଧୀନ ଚିମିନୀ ଉପରେ ଫସି ରହିଗଲେ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଦୁର୍ଘଟଣାରେ ଶ୍ରୀବିଜୟା କମ୍ପାନୀର ପ୍ରୋଜେକ୍ଟ ହେଡ଼, ୨ ଇଞ୍ଜିନିୟର୍ସଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ଚିମିନୀ ନିର୍ମାଣ ବେଳେ ଅସ୍ଥାୟୀ ଲିଫ୍ଟ ତାର ଛିଣ୍ଡି ଯିବାରୁ ଦୁର୍ଘଟଣା ହୋଇଥିଲା। ମୃତକମାନେ ହେଲେ ଶ୍ରୀବିଜୟା କମ୍ପାନୀର ପ୍ରୋଜେକ୍ଟ ହେଡ଼ ଆନ୍ଧ୍ର ପ୍ରଦେଶ ନିବାସୀ ୪୨ ବର୍ଷୀୟ କୃଷ୍ଣା ପ୍ରସାଦ, ନାଗପୁର ନିବାସୀ ଇଞ୍ଜିନିୟର ୫୦ ବର୍ଷୀୟ ବିନୋଦ ଚୌଧୁରୀ, ଆନ୍ଧ୍ର ପ୍ରଦେଶ ନିବାସୀ ୩୦ ବର୍ଷୀୟ ଇଞ୍ଜିନିୟର କାର୍ତିକ ସାଗର ଓ ବିହାର ଗୟା ନିବାସୀ ୩୦ ବର୍ଷୀୟ ସୁରକ୍ଷା ଅଧିକାରୀ ନବୀନ କୁମାର।

ସୂଚନା ଅନୁଯାୟୀ, କୃଷ୍ଣା ପ୍ରସାଦ ନିଜ ସହଯୋଗୀଙ୍କ ସହ ନିର୍ମାଣାଧୀନ ଚିମିନୀରେ ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେଶନ ଏରିଆରେ ପ୍ରାୟ ୧୨୦ ଫୁଟ ଉଚ୍ଚରେ କାମ ତଦାରଖ କରୁଥିଲେ। ଠିକ ଏତିକିବେଳେ ଲିଫ୍ଟ ତାର ଛିଣ୍ଡି ଯିବାରୁ ସମସ୍ତେ ତଳେ ପଡି ଗମ୍ଭୀର ଆହତ ହୋଇଥିଲେ। ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଆଉ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ପହଞ୍ଚିବା ପରେ ହୋଇଥିଲା।ଦୁର୍ଘଟଣା ପରେ କୋଡରମା ଥର୍ମାଲ ପାୱାର ପ୍ଲାଣ୍ଟ ଭିତରକୁ କୌଣସି ଗଣମାଧ୍ୟମ କର୍ମଚାରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୂଚନା ଅନୁଯାୟୀ ଲିଫ୍ଟ ତାର ଛିଣ୍ଡିଯିବା ପରେ ପ୍ରାୟ ୧୨୦ ଫୁଟ ଉଚ୍ଚରେ ୨୦ ଶ୍ରମିକ ଫସି ରହିଥିଲେ। ଜିଲ୍ଲା ପ୍ରଶାସନ ଓ ଡିଭିସି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏଥିପାଇଁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା। ଦୁର୍ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ପ୍ଲାଣ୍ଟ ପ୍ରଶାସନ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଦୁର୍ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ଓ ସ୍ଥାନୀୟ ସାଂସଦ ଅନ୍ନପୂର୍ଣ୍ଣା ଦେବୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଡିଭିସି ଚେୟାରମ୍ୟାନଙ୍କ ସହ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଉପଲବ୍ଧ କରିବାକୁ କହିଛନ୍ତି।

Leave a comment