କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ : ‘ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଲେ, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ।

ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟ ଭିତ୍ତିକ ପ୍ରଦର୍ଶନର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କୁ ଭୋକାଲ୍‍ ଫର୍‍ ଲୋକାଲ୍‍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ନିମନ୍ତେ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଶ୍ରୀ ସାମନ୍ତ କିସ୍‍ ଭଳି ଏକ ଅନନ୍ୟ ଅନୁଷ୍ଠାନ ଗଢ଼ି ଏହା ମାଧ୍ୟମରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଲାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନ୍ୟ ତିନିଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍‍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍‍ ହସ୍ପିଟାଲ୍‍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫେସନ୍‍ ଓ କଷ୍ଟିୟୁମ୍‍ ଡିଜାଇନର୍‍ ବିଭୁ ମହାପାତ୍ର। ଅତିଥିଙ୍କୁ ସ୍ୱାଗତ କରିବା ସହ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭନନ୍ଦନ ଜଣାଇ ଶ୍ରୀ ସାମନ୍ତ କହିଲେ, କିସ୍‍ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କ ଉପରେ ପ୍ରରୋକ୍ଷରେ ପ୍ରଭାବ ପକାଇ ପାରିଛି। ଏହା ଜନଜାତି ସଶକ୍ତିକରଣ ଇତିହାସରେ ଏକ ମାଇଲ୍‍ଖୁଣ୍ଟ। ୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ଯାହା ମୁଁ କେବେ ସ୍ୱପ୍ନରେ ଭାବି ନଥିଲି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ. ତ୍ରିପାଠୀ କହିଲେ, ତୁମେମାନେ ଏବେ ଜଣେ ଜଣେ ସ୍ନାତକ ହୋଇଯାଇଛ। ତୁମେମାନେ ଯେଉଁ ଅନୁଷ୍ଠାନରେ ପାଠ ପଢୁଥିଲ ତାହା ଦୟା ଓ ମାନବିକତାର ଏକ ସ୍ତମ୍ଭ ବୋଲି ସବୁବେଳେ ମନେ ରଖିବ। ନିଃସ୍ୱାର୍ଥ ସେବା ଓ ମାନବିକତାର ଏହି ପରମ୍ପରାକୁ ଦୃଢ଼ତାର ସହ ଆଗକୁ ବଢ଼ାଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗରେ ରହି କିପରି ନେତୃତ୍ୱ ନେଇହୁଏ ତାହା କିସ୍‍ ଦେଖାଇ ପାରିଛି ବୋଲି ଉପକୁଳାଧିପତି ଡ. ଉପେନ୍ଦ୍ର ତ୍ରିପାଠୀ କହିଥିଲେ। ଆଗାମୀ ଦଶକରେ ବିଶ୍ୱସ୍ତରୀୟ ବିଦ୍ୱାନଙ୍କ ତତ୍ତ୍ୱାବଧାନରେ କିସ୍‍ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ କେନ୍ଦ୍ରରେ ପରଣିତ ହେବ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି କୁଳପତି ପ୍ରଫେସର ଦୀପକ କୁମାର ବେହେରା କହିଲେ, କିସ୍‍ ହେଉଛି ଏକମାତ୍ର ଅନୁଷ୍ଠାନ ଯାହାକି ଜନଜାତି ସମ୍ପର୍କିତ ସର୍ଜନଶୀଳରେ ଦକ୍ଷତା ହାସଲ ପାଇଁ ସୁଯୋଗ ଦେଇଥାଏ ଏବଂ ଜନଜାତି ଲୋକ ଏବଂ ସେମାନଙ୍କ ହୃଦୟକୁ ଛୁଇଁଲା ଭଳି ବିଷୟବସ୍ତୁ ଉପରେ ଗବେଷଣା କରିବାକୁ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଉପକୁଳପତି ପ୍ରଫେସର ପୀତବାସ ସାହୁ ଏବଂ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ ।


କିସ୍‍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ୍‍ କରିଥିବା ଟ୍ରାଇବାଲ୍‍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲ୍‍ର୨୦୧୯ ବ୍ୟାଚ୍‍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍‍ ଅଫ୍‍ ଇଣ୍ଡିଜନସ୍‍ ନଲେଜ୍‍, ସାଇନସ୍‍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

Leave a comment