କୋରୋନା ସଂକ୍ରାନ୍ତଙ୍କ ସହ ଶ୍ରଦ୍ଧାଭାବ ଆଚରଣର ଆବଶ୍ୟକତା ରହିଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାଜ୍ୟରେ ୪ର୍ଥ କୋରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭ଜଣଙ୍କୁ ଏଯାବତ୍ ଚିହ୍ନଟ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଆଜି ଅପରାହ୍ନରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସେ କହିଥିଲେ ଯେ,ଗତକାଲି ରାଜ୍ୟ ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟ ମଧ୍ୟକୁ ଆସବା ନେଇ ପଞ୍ଜିକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୪,୩୦୪ ଜଣ ଥିଲେ ବିଦେଶ ଫେରନ୍ତା। ହେଲେ, ଆଜି ଏମାନଙ୍କ ସଂଖ୍ୟା ୧୫,୦୪୫କୁ ବୃଦ୍ଧି ପାଇଛି ଆଉ ଏମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତି ୪,୩୩୨ ଜଣ। ଏମାନଙ୍କ ଉପରେ ରାଜ୍ୟ ସରକାର ବିଶେଷ ଦୃଷ୍ଟି ରଖଛନ୍ତି।
ଏଥିସହ, ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ କହିଛନ୍ତି ଯେ ବର୍ତମାନ ର ସ୍ଥିତିରେ ଚିହ୍ନଟ ହେଉଥିବା କୋରୋନା ରୋଗୀଙ୍କୁ ରାଜ୍ୟବାସୀ ସମବେଦନା ଦେଖାଇବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଭାବ ପୋଷଣ କରିବାର ଆବଶ୍ୟତା ରହିଛି। କାରଣ, ବିଶ୍ୱର ଚିତ୍ରପଟକୁ ଦେଖିଲେ ଏକଥା ସ୍ପଷ୍ଟ ଓ ପ୍ରମାଣିତ ଯେ କରୋନା ଜାତି, ଧର୍ମ, ବର୍ଣ୍ଣ, ପଦ, ଧନୀ, ନିର୍ଧନୀ ନିର୍ବେଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ। ତେଣୁ, ଆମେ ଯଦି କୋରୋନା ଆକ୍ରାନ୍ତଙ୍କୁ ବାସନ୍ଦ ଦୃଷ୍ଟିରେ ଦେଖିବା ଓ କରୋନାକୁ ଏକ ସାମାଜିକ କଳଙ୍କ ରୂପେ ବିବେଚନା କରିବା ତେବେ ଏହା ଆମ ସମସ୍ତଙ୍କ ପାଇଁ କ୍ଷତିକାରକ ହେବ। କାରଣ, ଭୟରେ ସନ୍ଦିଗ୍ଧମାନେ ଆଉ କୌଣସି ପ୍ରକାରର ସୂଚନା ଦେବାକୁ ଡରିବେ ଓ ସମାଜ ଭିତରେ ଆତ୍ମଗୋପନ କରି ଏହି ସଂକ୍ରାମକ ରୋଗକୁ ଆହୁରି ବ୍ୟାପିବାକୁ ଦେବାରେ ସହାୟକ ହେବା ସହ ‘ସୁପର ସ୍ପ୍ରେଡର’ ରୂପେ କାର୍ଯ୍ୟ କରିବେ।
ଏଥିସହ ଦେଶ ଓ ବିଶ୍ୱ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଯେ ଭାରତରେ ଗତକାଲି ସୁଦ୍ଧା ୧୨୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏମାନଙ୍କ ସଂଖ୍ୟା ୧୬୮୧ (ଦିନ ଟା ସୁଦ୍ଧା)କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗତକାଲି ସୁଦ୍ଧା କୋରୋନା ରେ ମୃତକଙ୍କ ସଂଖ୍ୟା ୩୨ ଥିବା ବେଳେ ଆଜି ଏହା ୪୫କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ସୁଦ୍ଧା ବିଶ୍ୱର ୨୦୦ ରାଷ୍ଟ୍ର କୋରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୦୩କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୮୯,୯୩୬ ରହଥିବା ବେଳେ ଆଜି ଏହା ୮,୬୨,୪୯୫କୁ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ଗତକାଲି ସୁଦ୍ଧା ମୃତକଙ୍କ ସଂଖ୍ୟା ୩୮,୧୦୩ ଥିବା ବେଳେ ଆଜି ଏହା ୪୨.୫୧୦କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ।