ଖଣ୍ତପଡା ବିଧାନସଭା କ୍ଷେତ୍ର, ବିଦ୍ରୋହୀଙ୍କୁ ମନାଇବା ସୈାମ୍ୟଙ୍କ ପାଇଁ ହେବ ଚ୍ୟାଲେଞ୍ଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାମାଙ୍କନ ଦାଖଲର ଶେଷ ପର୍ଯ୍ୟାୟରେ ବିଜେଡି ରାଜ୍ୟସଭା ସଦସ୍ୟ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ତପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମଙ୍ଗଳବାର ପ୍ରାର୍ଥୀ ଘୋଷଣା ହେବା ପରେ ଅନ୍ୟ ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୈାମ୍ୟଙ୍କୁ ପ୍ରାର୍ଥୀ କରାଗଲେ ଅନ୍ୟ ଦୁଇ ଆଶାୟୀ ତଥା ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ଉଭୟଙ୍କ ସମର୍ଥକମାନେ ସୈାମ୍ୟଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଛନ୍ତି । ଟିକେଟ ନ ପାଇବା ପରେ ଉଭୟ ନେତା ସମର୍ଥକଙ୍କ ସହ ବୈଠକ କରିଥିବା ବେଳେ ଉଭୟେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । ଅଞ୍ଚଳର ବିକାଶ ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାର ଲୋକଙ୍କୁ ଆଣି ଏଠାରେ ପ୍ରାର୍ଥୀ କରିଥିବାରୁ କର୍ମୀମାନେ ମର୍ମାହତ ବୋଲି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ କହିଛନ୍ତି । ତେବେ ଏତେ ବିରୋଧ ଯୋଗୁ ଅସନ୍ତୁଷ୍ଟ ବା ବିଦ୍ରୋହୀ ବିଜେଡି କର୍ମୀମାନଙ୍କୁ ମନାଇବା ସୈାମ୍ୟଙ୍କ ପାଇଁ କାଠିକର ପାଠ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Leave a comment