ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର ମିଥୁନ ଜେନା ।
ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମିଥୁନଙ୍କ ନାମରେ ପୂର୍ବରୁ ବହୁ ଗୁଣ୍ଡାଗର୍ଦି, ମାଡ଼ପିଟ ଆଦି ବହୁ ମାମଲା ରହିଥିଲା । ତେବେ ପଥର ଖାଦାନ ଓ ଠିକାଦାରୀ ଆଦିକୁ ନେଇ ଅନେକଙ୍କ ସହ ତାଙ୍କର ବିବାଦ ଓ ଶତ୍ରୁତା ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି କୁହାଯାଉଛି ।
ତେବେ ଶନିବାର ରାତି ପ୍ରାୟ ୮ତା ସମୟରେ ମିଥୁନ ଓ ବାପି ଘଡେଇ ନାମକ ତାର ଜଣେ ସାଥି ଏହି ବନ୍ଦ ପଡିଥିବା ଘରୋଇ ଚକ୍ଷୁ ଡାକ୍ତରଖାନା ପରିସରରେ ବସିଥିଲେ । ଏତିକି ବେଳେ ଚାରିଜଣ ଯୁବକ ଖଣ୍ଡା ଓ ଫାର୍ସା ଆଦି ମାରଣାସ୍ତ୍ର ସହ ଆସି ଅଚାନକ ଆକ୍ରମଣ କରିଥିଲେ । ବାପି ଘଡେଇ ଖସି ପଳାଇ ଥିବାବେଳେ ମିଥୁନର ବେକକୁ ହାଣି ସେମାନେ ହତ୍ୟା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।