କେନ୍ଦ୍ରାପଡ଼ାରେ ବିଦ୍ରୋହୀ ନେତା ନେବେ ନିର୍ଣ୍ଣାୟକ ଭୂମିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ସରିଲା ପ୍ରାର୍ଥୀପତ୍ର । ପ୍ରାୟ ସବୁ ସ୍ଥାନରେ ରାଜ୍ୟର ପ୍ରମୁଖ ତିନୋଟି ଦଳର ଆଶାୟୀ ପ୍ରାର୍ଥୀ ଦଳୀୟ ଟିକେଟ ନପାଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ମାତ୍ର ଅସନ୍ତୋଷ ପ୍ରାର୍ଥୀଙ୍କ ନାମାଙ୍କନକୁ ନେଇ ସବୁଠାରୁ ଆଗରେ ରହିଛି କେନ୍ଦ୍ରାପଡ଼ା ।
କେନ୍ଦ୍ରାପଡ଼ାରେ ପ୍ରାୟ ସବୁ ଦଳ ପାଇଁ ଚିନ୍ତା ବଢାଇଛନ୍ତି ବିଦ୍ରୋହୀ ପ୍ରାର୍ଥୀ । ଏଠାରୁବିଜେପିର ସର୍ବାଧିକ ୧୧ ଜଣ, ବିଜେଡିରୁ ୨ଜଣ ଓ କଂଗ୍ରେସର ଗୋଟିଏ ଜୋନ୍ରେ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
ଅପରପକ୍ଷରେ ୨୦୧୭ରେ ନିର୍ବାଚିତ ଉଭୟ ବିଜେଡି ଓ ବିଜେପିର ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ଏଥର ଜଣେ ହେଲେ କାହାରିକୁ ଟିକଟ ମିଳିନାହିଁ। ବିଜେଡି ଯଦିଓ ନିର୍ବାଚିତ ସଭ୍ୟଙ୍କୁ ଟିକେଟ ଦେଇନାହିଁ; କିନ୍ତୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅବଶ୍ୟ ପ୍ରାର୍ଥୀ କରିଛି। ବିଜେପି କିନ୍ତୁ ଅସନ୍ତୁଷ୍ଟ ଙ୍କୁ ମନାଇବାରେ ବିଫଳ ହେବାରୁ ଦଳରୁ ୧୧ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ପ୍ରାଥପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜିଲ୍ଲା ପରିଷଦ ସଭ୍ୟ ଥିଲାବେଳେ ଅନ୍ୟ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ଅଛନ୍ତି। ବିଜେଡିରୁ ମଧ୍ୟ ଦୁଇଟି ଜୋନ୍ ୬ ଓ ୧୫ନମ୍ବରରେ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସରୁ ଏକମାତ୍ର ୮ନମ୍ବର ଜୋନରୁ ଅସନ୍ତୁଷ୍ଟ ସନ୍ତୋଷ ବେହେରା ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହୃତ ପରେ ଆସନ୍ତା ୨୫ ତାରିରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। କିନ୍ତୁ ବିଦ୍ରୋହୀ ପ୍ରାର୍ଥୀଙ୍କ ନାମାଙ୍କନ କେନ୍ଦ୍ରାପଡ଼ା ରାଜନୀତିକୁ ରୋଚକ ମୋଡ଼କୁ ଟାଣି ନେଇଛି ।
କେନ୍ଦ୍ରାପଡ଼ା ୩୨ ଜିଲ୍ଲା ପରିଷଦ ଜୋନ୍ ବିଶିଷ୍ଟ ।ବିଜେପି ପାଇଁ ଏଠାରେ ସବୁଠୁ ଅଧିକ ଗୋଳମାଳିଆ ପରିସ୍ଥିତି ଉପୁଜିବା ସ୍ଥାନ ଗୁଡିକ ହେଲା: କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ପାଟକୁରା ନିର୍ବାଚନମଣ୍ଡଳୀ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ୧୦ଟି ସିଟ୍ ହାତେଇବାରେ ସଫଳ ହୋଇଥିଲା, ତାହା ଉପରୋକ୍ତ ତିନୋଟି ନିର୍ବାଚନ ମଣ୍ଡଳୀରୁ ଆସିଥିଲା ହେଲେ ଏଥର ଜଣେ ହେଲେ ନିର୍ବାଚିତ ଜିଲ୍ଲା ପରିଷଦ ଅଥବା ପ୍ରମୁଖ ଦାବିଦାର ଥିବା ଆଶାୟୀଙ୍କୁ ଦଳ ଟିକଟ୍ ନ ଦେବାରୁ ସେମାନେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସ୍ଵାଧୀନ ରୂପେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ୬ନମ୍ବର ଜୋନ୍ ବିଜେପିରୁ ଜିଲ୍ଲା ପରିଷଦ ଜିତିଥିଲେ ଦେବାଶିଷ ଦାସ । ମାତ୍ର ଏଥର ଆସନ ମହିଳା ହେଇଯିବାରୁ ପତ୍ନୀଙ୍କ ପାଇଁ ଲବି କରିଥିଲେ ଦେବାଶିଷ । ମାତ୍ର ଦଳ ଟିକଟ୍ ନ ଦେବାରୁ ପତ୍ନୀ ରଶ୍ମିତା ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନୁରୂପ ପରିସ୍ଥିତି ଗରଦପୁରର ୯ନମ୍ବର ଜୋନ୍ରେ ଦେଖିବାକୁ ମିଳିଛି। ସନ୍ତୋଷ ଜେନା ଜିଲ୍ଲା ପରିଷଦ ଜିତିଥିଲେ। ମାତ୍ର ତାଙ୍କ ଜୋନ୍ ମହିଳା ହେବା ପରେ ୧୦ ନମ୍ବରରୁ ଲଢ଼ିବାକୁ ସେ ଆଶାୟୀ ଥିଲେ। କିନ୍ତୁ ଟିକଟ୍ ନ ମିଳିବାର ସେ ସ୍ବାଧୀନ ଭାବେ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଅପରପକ୍ଷରେ ବିଜେଡ଼ିରେ ବି ଅସନ୍ତୋଷ କିଛି କମ୍ ନାହିଁ। ସ୍ଥାନୀୟ ନେତା ଅସନ୍ତୁଷ୍ଣଙ୍କୁ ମନାଇ ପ୍ରାର୍ଥୀପତ୍ର ଦାଖଲରୁ ଦୁରେଇ ରଖିବାରେ ସଫଳ ହୋଇଥିଲେ ବି ଭୋଟ୍ ବେଳେ ଏମାନଙ୍କ ଭୂମିକା ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଦଳରୁ ମାତ୍ର ଦୁଇଟି ଜୋନ୍ରେ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟ ମହିଳା ମୋର୍ଚ୍ଚାର ଯୁଗ୍ମ ସଂପାଦିକା ଥିବା ଭକ୍ତିମୟୀ ନନ୍ଦ ୬ନମ୍ବର ଓ ତରଡ଼ିପାଳ ପଂଚାୟତରେ ସମିତି ସଭ୍ୟା ଥିବା ଝୁନୁଲତା ବେହେରା ୧୫ନମ୍ବର ଜୋନ୍ରୁ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୋଟାମୋଟି ବିଜେଡି ଅସନ୍ତୁଷ୍ଟଙ୍କୁ ମନାଇବାରେ ଅନେକାଂଶରେ ସଫଳ ହୋଇଥିବା ବେଳେ ବିଜେପି କିନ୍ତୁ ଏ କ୍ଷେତ୍ରରେ ବିଫଳ ହୋଇଛି । ଏଭଳି ସ୍ଥିତିରେ ହାତରେ ଆହୁରି ଦୁଇ ଦିନ ଥିବାରୁ ଉଭୟ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ମନାଇବାରେ ସଫଳ ହେବେ ନା ସ୍ବାଧୀନ ଭାବେ ଲଢ଼ିବାକୁ ସେମାନଙ୍କୁ ଛାଡ଼ି ଦିଆଯିବ ସେନେଇ ଚର୍ଚ୍ଚା କେନ୍ଦ୍ରାପଡା ରାଜନୀତି କୁ ସରଗରମ କରୁଛି । ଯଦି ଏମାନେ ନେତାଙ୍କ ଚାପରେ ଆସିଯାଅନ୍ତି, ତେବେ ଭୋଟ୍ ରାଜନୀତିରେ ଏମାନଙ୍କ ଭୂମିକା କ’ଣ ହେବ, ତାରି ଉପରେ ସଭିଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି ।