କେନ୍ଦ୍ରମନ୍ତ୍ରୀ ବିଶେଶ୍ୱରଙ୍କୁ ବହିଷ୍କାର ଦାବିରେ:ସରକାରୀ କର୍ମଚାରୀ ପିନ୍ଧିଲେ କଳା କଳାବ୍ୟାଜ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଜେଡି ସମାଲୋଚନା କରିଛି। ଶ୍ରୀ ଟୁଡୁ ଜିଲ୍ଲା ଯୋଜନା ବିଭାଗର ଦୁଇ ଅଧିକାରୀ ଦେବାଶିଷ ମହାପାତ୍ର ଓ ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ବାରିପଦା ବିଜେପି କାର୍ଯ୍ୟାଳୟକୁ ଡାକି ଅଶ୍ଳୀଳ ଭାଷା କହିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଛି ଆଉ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଗୁରୁତର ହେବା ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଏନେଇ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମନ୍ତ୍ରୀ ହୋଇ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଏବଂ ତାଙ୍କ ହାତ ଭାଙ୍ଗି ଦେବା ଓଡ଼ିଶା ରାଜନୀତିରେ ପ୍ରଥମ ଘଟଣା.କେନ୍ଦ୍ରମନ୍ତ୍ରୀ ମୟୂରଭଞ୍ଜ ତଥା ଅନ୍ୟାନ୍ୟ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ବାରମ୍ବାର ନିନ୍ଦିତ ମଧ୍ୟ ହୋଇଛନ୍ତି। ଏଭଳି ଘଟଣାକୁ ଶାନ୍ତ, ସରଳପ୍ରିୟ ମୟରଭଞ୍ଜବାସୀ ତୀବ୍ର ନିନ୍ଦା କରିବା ସହ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
୩ଦିନ ସରକାରୀ ଅଧିକାରୀ ଓ କର୍ମଚାରୀ ପିନ୍ଧିବେ କଳାବ୍ୟାଜ୍
ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାର ପ୍ରତିବାଦରେ ଆଜିଠାରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରତିବାଦ ସ୍ୱରୂପ ୩ଦିନ ଧରି କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି। ବାରମ୍ବାର ମନ୍ତ୍ରୀ ତାଙ୍କର ଆଚରଣ ଓ ଉଚ୍ଚାରଣରେ ଶାଳୀନତା ଭୁଲି ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ମାଡ଼ମାରି ହାତ ଭାଙ୍ଗିଦେବା ଏକ ଦୁଃଖ ଦାୟକ ଘଟଣା ବୋଲି ଜିଲ୍ଲାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଦର୍ଶାଯାଇଛି।