ମୁମ୍ବାଇ କୋର୍ଟରେ କଙ୍ଗନା ଭର୍ତ୍ସିତ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ଏକ ଆବେଦନକୁ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ଖାରଜ କରିଦେବା ସହ ତାଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ସ୍ଥାନୀୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍ଆର୍ ଖାନ୍ କହିଛନ୍ତି, କଙ୍ଗନା ଜଣେ ସେଲିବ୍ରିଟି ହୋଇପାରନ୍ତି ଏବଂ ତାଙ୍କର ପ୍ରଫେସନାଲ୍ କମିଟ୍ମେଣ୍ଟ୍ ଥାଇପାରେ, ମାତ୍ର ସେ ଏକ ମାମଲାରେ ଅଭିଯୁକ୍ତ ବୋଲି ଭୁଲିଯିବା ଉଚିତ ନୁହେଁ ।
ସୂଚନାଯୋଗ୍ୟ, କଙ୍ଗନାଙ୍କ ବିରୋଧରେ ବଲିଉଡ୍ ଗୀତିକାର ଜାଭେଦ୍ ଅଖ୍ତର କୋର୍ଟରେ ଏକ ମାନହାନି ମାମଲା ରୁଜୁ କରିଥିଲେ । ସେ ଜଣେ ସେଲିବ୍ରିଟି ହୋଇଥିବା ଏବଂ ତାଙ୍କର ପ୍ରଫେସନାଲ୍ କମିଟ୍ମେଣ୍ଟ ରହିଥିବାରୁ ଏହି ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାରୁ ସ୍ଥାୟୀ ରିହାତି ଦେବା ପାଇଁ କଙ୍ଗନା ଆବେଦନରେ ଅନୁରୋଧ କରିଥିଲେ । ମଙ୍ଗଳବାର ଏହା ଉପରେ ଶୁଣାଣି କରି ବିଚାରପତି ଖାନ୍ ଆବେଦନକୁ ଖାରଜ କରିଦେବା ସହ ଏହି ମନ୍ତବ୍ୟ ଦେଇଥିଲେ । କୋର୍ଟ କହିଥିଲେ, ବିଶେଷ ପରିସ୍ଥିତିରେ ତାଙ୍କୁ ହାଜର ହେବାରୁ ରିହାତି ଦିଆଯାଇପାରେ । ତେବେ ଏଥିରେ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ସହମତ ଆବଶ୍ୟକ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୭ ତାରିଖରେ ହେବ ।