କଳ୍ପତରୁଙ୍କୁ ଦଳରୁ ବହିଷ୍କାର କରି ଅସନ୍ତୁଷ୍ଟଙ୍କ ସ୍ୱର ବନ୍ଦ କରିବାର ହୀନ ପ୍ରୟାସ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିରେ ଚାଲିଛି ଘୋର ଚକ୍ରାନ୍ତ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଦଳରୁ କରାଯାଉଛି ବହିଷ୍କାର । ଦୁର୍ନୀତି ସହ ଜଡିତ ଯୁବ ସଭାପତିଙ୍କ ଅଧୀନରେ କାମ କରିବାକୁ ଇଚ୍ଛା ପ୍ରକାଶ ନକରି କଳ୍ପତରୁ ଓଝା ଯୁବ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏଭଳି ଅଭିଯୋଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁ ଦଳର ମୁଖ୍ୟ ନାରା ଥିଲା ସ୍ୱାଭିମାନ ଆଜି ସେଠାରେ ଅନ୍ୟାୟ ବିରୁଦ୍ଧରେ ମୁହଁ ଖୋଲିଲେ ମିଳୁଛି ବହିଷ୍କାର ଏଭଳି କିଛି ଅଭିଯୋଗ କରିଛନ୍ତି ଦଳର କିଛି ଯୁବ ଓ ଛାତ୍ର ନେତା । ଅନେକ ବିଳମ୍ବ ପରେ ଚାରିଦିନ ତଳେ ବିଜେଡି ପକ୍ଷରୁ ଯୁବ ନେତାଙ୍କୁ ବିଭିନ୍ନ ପଦରେ ଥଇଥାନ କରାଯାଇଥିଲା । ଯାହାକି ଅସନ୍ତୋଷକୁ ତୀବ୍ର କରିଥିଲା । କାରଣ ଏହି ତାଲିକା ଅନୁଯାୟୀ କିଛି ବରିଷ୍ଠ ପଦବୀରେ ଥିବା ନେତାଙ୍କୁ କନିଷ୍ଠ ପଦବୀ ଏବଂ କନିଷ୍ଠ ପଦବୀ ଓ ଅନଭିଜ୍ଞଙ୍କୁ ପ୍ରଦାନ କରାଯାଇଥିଲା ବରିଷ୍ଠ ପଦ । ଏପରିକି କିଛି ମହିଳା ଯାହାଙ୍କୁ କେବେ ଦଳ କାର୍ଯ୍ୟାଳୟରେ ଦେଖିବାକୁ ମିଳିନଥାଏ ସେମାନଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବାକୁ ନେଇ ତେଜିଥିଲା ଅସନ୍ତୋଷ । ଅନେକ ଅସନ୍ତୁଷ୍ଟ ସୋସିଆଲ ମିଡ଼ିଆରେ ଏହା ବ୍ୟକ୍ତ ମଧ୍ୟ କରିଥିଲେ ।

ଏହି ଯୁବ ତାଲିକାରେ କଳ୍ପତରୁ ଓଝା ଯେକି ଦୀର୍ଘ୧୬ବର୍ଷ ହେବ ନିଜ ଛାତ୍ର ରାଜନୀତିରୁ ବିଜେଡି ସହ ଜଡ଼ିତ ଥିଲେ ସେ ସାଧାରଣ ସମ୍ପାଦକ ପଦ ପାଇଥିବା ବେଳେ ତାଙ୍କ ଠାରୁ ଅଭିଜ୍ଞତାରେ କମ ଥିବା ଛାତ୍ର ନେତାଙ୍କୁ ତାଙ୍କଠାରୁ ଉଚ୍ଚ ପଦ ଦିଆଯିବା ତାଙ୍କ ସ୍ୱାଭିମାନକୁ ବାଧା ଦେଇଥିବା ପରିପ୍ରକାଶ କରିଥିଲେ । ଏନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ନୂତନ ପଦରୁ ଇସ୍ତଫା ଦେଇଥିଲେ । କଳ୍ପତରୁ ଆହୁରି ମଧ୍ୟ ନୂତନ ଯୁବ ସଭାପତି ବ୍ୟମକେଶ ରାୟଙ୍କୁ ଟାର୍ଗେଟ କରି କହିଥିଲେ, ଭ୍ରଷ୍ଟ ନେତାଙ୍କ ଅଧୀନରେ ସେ କାର୍ଯ୍ୟ କରିବେ ନାହିଁ । ସେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କାହାର ଚାଟୁକର ହେବା ବଦଳରେ ନିଜର ସ୍ୱାଭିମାନକୁ ସେ ପ୍ରଧାନ୍ୟ ଦିଅନ୍ତି ।

କଳ୍ପତରୁଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିର ନୂତନ ଯୁବ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, କଳ୍ପତରୁ ବିଗତ ୩ ବର୍ଷ ହେଲା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଅନେକ ଥର ଦଳକୁ ଅସୁବିଧାରେ ପକାଉଥିଲେ ତେଣୁ ଦଳ ତାଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଦଳରୁ ବହିଷ୍କାର କରିଛି । ଏହାର ପ୍ରତିଉତ୍ତରରେ କଳ୍ପତରୁ କହିଛନ୍ତି, ମୁଁ ଯାହାବି କରିଛି ଦଳର ନେତାଙ୍କ ନିର୍ଦ୍ଦେଶରେ କରିଛି । ମୋ ପାଖରେ ଏହାର ଯଥେଷ୍ଟ ପ୍ରମାଣ ଅଛି । ଆଗାମୀ ଦିନରେ ଏହା ଲୋକଲୋଚନକୁ ଅଣାଯିବ । ଯଦି ଦଳରେ ଅଧିକ ସଦସ୍ୟ ହୋଇଗଲେଣି ତେବେ ଅନ୍ୟ ଦଳରୁ ସଦସ୍ୟ ଆମଦାନୀ କରାଯାଉଛି କାହିଁକି । ଏବଂ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ପ୍ରଦାନ କରାଯାଉଥିବା ବେଳେ ଦଳର ପୁରୁଣା ଓ ନିଷ୍ଠାପର ସଦସ୍ୟଙ୍କୁ କୋଣଠେସା କରାଯାଉଛି କାହିଁକି ।

କଳ୍ପତରୁ କେବଳ ଏକା ନୁହନ୍ତି ଏପରି ଅନେକ ଛାତ୍ର ଓ ଯୁବ ନେତା ବିଜେଡିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ବିଜେଡି ସେମାନଙ୍କ ଉପରେ ଚାପ ପକାଇବାକୁ କଳ୍ପତରୁଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment