ସରକାରୀ କର୍ମଚାରୀ, ନାବାଳକ ଓ ନାବାଳିକା ହୋଇଥିଲେ କାଳିଆ ହିତାଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସରିଲାଣି । ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦ ହଜାର ସରକାରୀ କର୍ମଚାରୀ ଓ ପେନସେନ ଭୋଗୀ କାଳିଆ ଟଙ୍କା ପାଇଛନ୍ତି । ସେହିପରି ୯ ହଜାର ନାବାଳକ ଓ ନାବାଳିକା ମଧ୍ୟ କାଳିଆ ଟଙ୍କା ନେଇଥିବା ତଥ୍ୟ ସାମ୍ନାକୁ ଆସିଥିବା କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହାସହ ସରକାରୀ କର୍ମଚାରୀ ଓ ପେନସେନ ଭୋଗୀଙ୍କୁ କାଳିଆ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେମାନେ କାଳିଆ ଟଙ୍କା ଫେରସ୍ତ ନକରିବେ ତେବେ ଏହା ସେମାନଙ୍କ ଦରମାରୁ କାଟିଦିଆଯିବ ବୋଲି କହିଛନ୍ତି ଶ୍ରୀ ସାହୁ ।

ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଗୁଡିକ ବାରମ୍ବାର କାଳିଆ ଯୋଜନାର ହିତାଧିକାରୀଙ୍କ ଚିହ୍ନଟ ନେଇ ସରକାର ଙ୍କୁ ଘେରିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଫାଇଦା ଉଠାଇଛନ୍ତି । ତେଣୁ ୫ମ ପାଳି ସରକାର ଗଠନ ପରେ ଆରମ୍ଭ ହେଲା ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା । ପ୍ରଥମେ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ନାଁ ଏହି ତାଲିକାରୁ କାଟିବାକୁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପ୍ରତି ବ୍ଲକ ଅଫିସରେ ହିତାଧିକାରୀଙ୍କ ନାଁ ର ତାଲିକା ଲଗାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଗାଁ ମୁଖିଆଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

କାଳିଆ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀ ତାଲିକା ଭୁକ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି । ସରକାରୀ କର୍ମଚାରୀ, ପେନସେନ ଭୋଗୀ, ନାବାଳକ ଓ ନାବାଳକଙ୍କ ବ୍ୟତୀତ ଗୋଟିଏ ପରିବାରରୁ ଅନେକ ବ୍ୟକ୍ତି କକିଆ ଟଙ୍କା ନେଇଥିବା ତଥ୍ୟ ସାମ୍ନାକୁ ଆସିଛି ।

Leave a comment