ଫେରେଇବାକୁ ହେବ କାଳିଆ ଟଙ୍କା: କୃଷି ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ହେବ ଯାଞ୍ଚ । ଖୋଜାଯିବା ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଅଗଷ୍ଟ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରୀରହିବ । ଯଦି କେହି ଅଯୋଗ୍ୟ ହିତାଧିକାରୀ ନିଜ ନାଁ ତାଲିକାରୁ ବାଦ ଦେବାକୁ ଇଛୁକ ଥିବେ ସେମାନେ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ସୂଚନା ଅନୁଯାୟୀ, କୃଷି ସଚିବ ସୌରଭ ଗର୍ଗ କହିଛନ୍ତି, କାଳିଆ ଟଙ୍କା ନେଇସାରିଥିବା ବ୍ୟକ୍ତିଙ୍କ ତାଲିକାକୁ ଟ୍ରାନ୍ସଫରେନ୍ସି ମ୍ୟାନରରେ ଜଣାଇବା ପାଇଁ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଯେଉଁ ୱେବସଇଟ ରହିଛି ସେଥିରେ କାଳିଆ ଯୋଜନାରେ ଉପକୃତ ହୋଇଥିବା ସମସ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ନାମ ପ୍ରକାଶ ପାଇସାରିଛି । ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ଅଛନ୍ତି । ଏହି ତାଲିକାକୁ ଆଜି ପ୍ରତି ଗ୍ରାମ ପଞ୍ଚାୟତ କାନ୍ଥରେ ଲଗାଯାଇଛି । ଏହି ତାଲିକା ଦେଖି ଉକ୍ତ ଗ୍ରାମର ଲୋକ ସେହି ଗାଁର ଚାଷୀଙ୍କୁ ଚିହ୍ନଟ କରିବେ । ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ ସେମାନଙ୍କୁ କାଳିଆ ଟଙ୍କା ଫେରସ୍ତ କରିବାକୁ ପଡିବ । ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ତାଲିକାରୁ ନିଜ ନାମ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ସେମାନେ ଏନେଇ ଆବେଦନ କରିପାରିବେ । ସରକାରଙ୍କ ଏପରି ପଦକ୍ଷେପ ନେବାରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଜଣେବି ହିତାଧିକାରୀ ଯେପରି କାଳିଆ ଟଙ୍କାରୁ ବଞ୍ଚିତ ନରୁହେ ।

ପୂର୍ବରୁ କାଳିଆ ଯୋଜନାରେ ହିତାଧିକାରୀ ଚିହ୍ନଟ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଓ ପ୍ରକୃତ ହିତାଧିକାରୀ ବଞ୍ଚିତ ରହିଥିବା ବିରୋଧୀ ଦଳ ବିଧାନସଭାରେ ଅଭିଯୋଗ କରିଥିଲେ । ସେହିପରି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି କାଳିଆ ଯୋଜନାର ଟଙ୍କା ଉଠାଇଥିବା ବିଧାୟକ ମାନେ ଅଭିଯୋଗ କରିଥିଲେ ।

Leave a comment