’କାଳିଆ’ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ। ଅଧିକାଂଶ ଲୋକେ କୃଷି ଉପରେ ନିଭର୍ର କରି ନିଜ ପରିବାର ଚଳାନ୍ତି । ରାଜ୍ୟରେ ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ସଂଖ୍ୟା ବି ଅଧିକ । ବିପର୍ଯ୍ୟୟ କାରଣରୁ ଚାଷ ନଷ୍ଟ ହେଲେ ଏମାନଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଥାଏ । ଚାଷ ଓ ଚାଷୀ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିଲେ ମଧ୍ୟ ଏମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଳିଷ୍ଠ ପଦକ୍ଷେପ। ୨୦୧୮ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଆାରମ୍ଭ କରିଛନ୍ତି କାଳିଆ ଯୋଜନା । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିଥାଏ। ‘କାଳିଆ’(କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। କାଳିଆ’ ଯୋଜନା ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବେଶ୍ ସହାୟକ ହେଉଛି। ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହାର ଲକ୍ଷ୍ୟ। ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରୀ ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି । ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷି ଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡା ପାଳନ ୟୁନିଟ, ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପକରଣ , ଛତୁଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତି ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟକ ହେଉଛି । ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗଦ୍ୱାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାର ଜୀବିକା ନିର୍ବାହ କରିବା ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳୁଛି । ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଛନ୍ତି ।

Leave a comment