ଆଜିଠାରୁ ଚାଷୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ କାଳିଆ କଲ୍ ସେଣ୍ଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ କାର୍ଯ୍ୟକାରୀ ହେବ କାଳିଆ କଲ୍ ସେଣ୍ଟର । ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଠାରେ ଥିବା ଓକାକ କାର୍ଯ୍ୟାଳୟରେ ଖୋଲାଯାଇଥିବା ଏହି କଲ୍ ସେଣ୍ଟର ୨୪ ଘଣ୍ଟା କାର୍ଯ୍ୟ କରିବ । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଲ୍ ସେଣ୍ଟର ବୁଲି ଦେଖିବା ସହ ଚାଷୀଙ୍କ ସହ ସିଧାସଳଖ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏବଂ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀଙ୍କ ସହ କଥା ମଧ୍ୟ ହୋଇଥିଲେ ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଠାରେ ଥିବା ଓକାକ କାର୍ଯ୍ୟାଳୟରେ ଜାନୁଆରୀ ୫ ତାରିଖଠାରୁ କଲ୍ ସେଣ୍ଟର ଆରମ୍ଭ ହୋଇଛି । ଏହି କଲ୍ ସେଣ୍ଟରରେ କାଳିଆ ଯୋଜନା ସମ୍ୱନ୍ଧରେ ଜାଣିବାକୁ ଆଗ୍ରହୀ ଥିବା ଚାଷୀଙ୍କୁ ସମସ୍ତ ସୂଚନା ପ୍ରଦାନ କରାଯାଉଛି । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହାକୁ ବୁଲିଦେଖିବା ସହ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀଙ୍କ କାଳିଆ ଯୋଜନା ସମ୍ୱନ୍ଧରେ ପଚାରିଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଆଜିଠାରୁ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ । ଚାଷୀମାନେ ୧୮୦୦-୫୭୨-୧୧୨୨ ଟେଲିଫୋନ୍ ନମ୍ବରକୁ କଲ୍ କରିପାରିବେ । ଏହା ପାଇଁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡିବନାହିଁ । ସେହିପରି ୦୮୦-୬୧୧୭-୪୨୨୨ ନମ୍ବରରେ ମିସ୍ କଲ ଦେଲେ କଲ୍ ସେଣ୍ଟର ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯିବ । ଏହା ବ୍ୟତୀତ ମୋବାଇଲ୍ ହ୍ୱାଟସ୍ ଅପ୍ ନଂ ୮୪୫୬୦୯୯୬୮୮ରେ ମଧ୍ୟ ସୂଚନା ମିଳିପାରିବ ।
ଏହି କାଳିଆ ଯୋଜନାର ଡିସେମ୍ବର ୩୧ ତାରିଖରେ ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ରେ ଏହାର ଆବେଦନ ତାରିଖର ସମୟସୀମାକୁ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଷୀ ଆବେଦନ କରିପାରିବେ । ଏହି ଯୋଜନରୁ ସେମାନେ ୨୫ହଜାର ପର୍ଯ୍ୟନ୍ତ ସର୍ବମୋଟ ସହାୟତା ପାଇପାରିବେ ।