ଟ୍ବିନ୍ ସିଟିରେ କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ-ଭୁବନେଶ୍ଵରରେ ଭୋର ସମୟରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା । ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା ମିଳିଛି। କିଛି ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ।
କଟକରେ ପ୍ରବଳ ବର୍ଷା, ପବନ ଓ ଘଡଘଡିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ। ବର୍ଷା ଛାଡିଲାପରେ ରାଜଧାନୀର ବିଭିନ୍ନ କଲୋନିରେ ଲହଡି ଭାଙ୍ଗୁଛି ବର୍ଷା ପାଣି ।
ଭୁବନେଶ୍ଵରର ଅନେକ କଲୋନିରେ ନାଳ କାମ ସରିନଥିବା କାରଣରୁ ପାଣି କେଉଁଆଡେ ଯାଇନପାରି କଲୋନି ଭିତରେ ରହିଛି ଯାହା ଫଳରେ ଲୋକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଓଡିଶା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ଆରମ୍ଭ କରି ଦେଇଛନ୍ତି। ପଡିରହିଥିବା ଗଛ ଗୁଡିକୁ କାଟିବା ସହ ରାସ୍ତା ସଫା କରିବା ଫଳରେ ଯାତାୟତ ସ୍ବାଭାବିକ ହୋଇଛି ।