ଚାଷୀଙ୍କ ଚାଉଳରେ ମହାପ୍ରସାଦ ହେଉଥିବାରୁ ଏହି ଯୋଜନାର ନାଁ କାଳିଆ, କହିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ମାଳତିପାଟପୁର ଠାରେ ଆୟୋଜିତ ‘କାଳିଆ ଯୋଜନା’ ଯାହାକି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ଋଣର କଷ୍ଟ ଦୂରକରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ପ୍ରୟାସ । ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଦର୍ଶନ କରିବା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୁରୀଠାରେ ବିଶାଳ ଚାଷୀ ସମାବେଶ ଯୋଜନାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ” ଓଡ଼ିଶାର ଲକ୍ଷ ଲକ୍ଷ ଅନ୍ନଦାତାଙ୍କୁ ମୋର ନମସ୍କାର । ମୁଁ ଚାହେଁ ଅନ୍ନଦାତା ମାନେ ଭଲରେ ରୁହନ୍ତୁ । ସେଥିପାଇଁ ଏହି କାଳିଆ ଯୋଜନାର ଶୁଭାରମ୍ଭ କରିଛି । ଥରେ ସାହାଯ୍ୟ କଲେ ଚାଷୀଙ୍କ ଉର୍ଣ୍ଣତ୍ତି ହେବନାହିଁ । ଏହି ଯୋଜନାରେ ଆପଣମାନେ ୩ବର୍ଷରେ ୬ଟି ଋତୁରେ ସାହାଯ୍ୟ ପାଇବେ । ଆପଣମାନଙ୍କୁ ଖରିଫ ଫସଲ ପାଇଁ ଅକ୍ଷୟ ତୃତୀୟା ଏବଂ ରବି ଫସଲ ପାଇଁ ନୂଆଖାଇ ଦିନ ୫ ହଜାର ଟଙ୍କା ଲେଖାଏଁ ମିଳିବ ଯାହାକି ସିଧାସଳଖ ଆପଣଙ୍କ ଆକାଉଣ୍ଟ କୁ ଯିବ । ରାଜ୍ୟର ୯୨% ଚାଷୀ ଏଥିରୁ ଉପକୃତ ହେବେ । ଆପଣ ମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଆପଣମାନେ ଦେଉଥିବା ଚାଉଳ ଓ ପରିବାରରେ ମହାପ୍ରସାଦ ହେଉଛି । ତେଣୁ ଏହି ଯୋଜନାର ନାଁ ମୁଁ କାଳିଆ ଯୋଜନା ରଖିଲି “।
ସୂଚନା ଅନୁଯାୟୀ, ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଦିଆଯିବ । ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଦ ପଡ଼ିଥିବା ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁନର୍ବାର ଆବେଦନ କରିପାରିବେ । ଯାହାକି ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ ।