ଅବସର ପାଇଁ ୬୫ ବର୍ଷ ବୟସ ନିହାତି କମ – ଜଷ୍ଟିସ ରମନା

0

ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୫ ବର୍ଷକୁ ଧାର୍ଯ୍ୟ କରାଯାଇଛି । ତେବେ ଅବସର ନିମନ୍ତେ ଏହି ବୟସସୀମା ନିହାତି ସହଳ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନା ମତବ୍ୟକ୍ତ କରିଛନ୍ତି । ୬୫ ବର୍ଷରେ ପଦାର୍ପଣ କରିବାପରେ ଜଷ୍ଟିସ ରମନା ଚଳିତବର୍ଷ ଅଗଷ୍ଟ ୨୬ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ନିକଟରେ ଆମେରିକା ସୁପ୍ରିମକୋର୍ଟର ଜନୈକ ବିଚାରପତି ଜଷ୍ଟିସ ଷ୍ଟିଫେନ ବ୍ରେୟରଙ୍କ ସହ ୱେବିନାରରେ ଆଲୋଚନା କରିବା ଅବସରରେ ଜଷ୍ଟିସ ରମନା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ଭାରତ ଓ ଆମେରିକାର ନ୍ୟାୟିକ ବ୍ୟବସ୍ଥାରେ ବିଚାରପତିଙ୍କ ଅବସର ବୟସସୀମା ପ୍ରସଙ୍ଗରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଜଷ୍ଟିସ ବ୍ରେୟର ବର୍ତ୍ତମାନ ୮୩ ବର୍ଷରେ ଉପନୀତ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅବସର ଗ୍ରହଣ କରିନାହାନ୍ତି । ତେବେ ୨୭ ବର୍ଷ ଧରି ସୁପ୍ରିମକୋର୍ଟରେ କାର୍ଯ୍ୟ କରିବାପରେ ସେ ସ୍ୱେଚ୍ଛାକୃତ ଅବସର ନେବାକୁ ମନସ୍ଥ କରିଛନ୍ତି। ଆମେରିକା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଜଣେ ସୁପ୍ରିମକୋର୍ଟ ବିଚାରପତି ବଞ୍ଚିଥିବା ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିପାରିବେ । ନଚେତ୍ ସଂପୃକ୍ତ ବିଚାରପତି ସ୍ୱେଚ୍ଛାକୃତ ଅବସର କିମ୍ବା ଇସ୍ତଫା ଦେବାକୁ ଚାହିଁଲେ, ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଥାଏ । ଅପରପକ୍ଷରେ ଜଷ୍ଟିସ ରମନା ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଭାବେ ମାତ୍ର ୨୨ ବର୍ଷ କାର୍ଯ୍ୟ କରିଛନ୍ତି । ଏବେମଧ୍ୟ ତାଙ୍କ ନିକଟରେ କାର୍ଯ୍ୟ କରିବାର ଯଥେଷ୍ଟ ଦକ୍ଷତା ରହିଛି । ତେଣୁ ୬୫ ବର୍ଷ ବୟସରେ ଅବସର ନେବା ନିୟମ ନିଶ୍ଚିତଭାବେ କାର୍ଯ୍ୟକାରୀ କରାଯିବ, ତେବେ ଏହା ନିହାତି ସହଳ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

Leave a comment