ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା : ଜିଲ୍ଲାପାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଣ୍ଠକଟା ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ଜିଲ୍ଲାପାଳ ସମର୍ଥ ବର୍ମା ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍, ସନ୍ତରଣ ବହୁବିଧ କ୍ରୀଡା ଏବଂ ଶହେ ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ଦ୍ବାରା ପୁରୀ ଜିଲ୍ଲାର ଖେଳାଳିମାନେ ଉତ୍ତମ ଭିତ୍ତିଭୂମି ପାଇପାରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥା ୱାପକ୍ସକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ଏହାପରେ ଜିଲ୍ଲାପାଳ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ଆନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚର ଉଭୟ ଦଳର ଖେଳାଳିଙ୍କ ସହ ଜିଲ୍ଲାପାଳ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିଥିଲେ । ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ରବିଶଙ୍କର ପ୍ରତିହାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।